ନଦୀ ଅର୍ଥନୀତିରୁ ରୋଜଗାର
(Published in the Samaja on 28.11.2022)
ପ୍ରକୃତୀ ଓଡିଶାକୁ ଭରପୁର ଜଳ ସମ୍ପଦ ପ୍ରଦାନ କରିଛି I ଓଡିଶା ଏହି ଅପାର ଜଳସମ୍ପଦକୁ ଉପଯୋଗ କରି ପାରିଲେ ଏହା ଓଡିଶାର ସାମୁହିକ ବିକାଶରେ ସହାୟକ ହେବ I କିନ୍ତୁ ଗତ ତିରିଶ ବର୍ଷ ଭିତରେ ଓଡ଼ିଶାରେ ନଦୀ ପ୍ରଦୂଷଣ ଏକ ଭୟାନକ ରୂପ ନେଇଛି I କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ଏକ ରିପୋର୍ଟ (CPCB ) ଅନୁସାରେ ଓଡ଼ିଶାରେ ପ୍ରବାହିତ ହେଉଥିବା ଅଧିକାଂଶ ନଦୀଗୁଡିକ ବିଷାକ୍ତ ଓ ପ୍ରଦୂଷିତ ହୋଇଯାଇଛି I ରିପୋର୍ଟରେ ଦର୍ଶାଯାଇଛି ଓଡିଶା, ମହାରାଷ୍ଟ୍ର, ଆସାମ, ମଧ୍ୟ ପ୍ରଦେଶ, କେରଳ, ଗୁଜରାଟ, ୱେଷ୍ଟବେଙ୍ଗଲ ଓ କେରଳ ରାଜ୍ୟ ଗୁଡିକରେ ୬୦ ପ୍ରତିଶତରୁ ଅଧିକ ନଦୀଜଳ ପ୍ରଦ୍ୟୁସିତ ହୋଇଛି I CPCB ରିପୋର୍ଟ ଅନୁସାରେ ଓଡ଼ିଶାର ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀ ପାର୍ଶ୍ୱଦେଇ ପ୍ରବାହିତ ହେଉଥିବା ଦୟା, ଗାଙ୍ଗୁଆ ନାଳ, କାଠଯୋଡ଼ି, ବ୍ରାହ୍ମଣୀ ଓ ମଙ୍ଗଗଳା ନଦୀଗୁଡିକରେ ପ୍ରଦ୍ୟୁଷଣର ମାତ୍ରା ବହୁତ ଅଧିକ ହୋଇଥିବାର ଜଣାପଡିଛି I କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ଅର୍ଜନ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି I ନଦୀଗୁଡିକ ଅନେକ ଆର୍ଥିକ ଗତିବିଧି ଯଥା କୃଷି, ମତ୍ସ୍ୟ ପାଳନ, ପଶୁ ପାଳନ, ଲଘୁ ଶିଳ୍ପ, କୁଟୀର ଶିଳ୍ପ, ତୀର୍ଥ ପର୍ଯ୍ୟଟନ, ଜଳ ପରିବହନ ଓ ହସ୍ତ ଶିଳ୍ପ ଇତ୍ୟାଦିର ବିକାଶରେ ସହାୟକ ହେବା ସଂଗେ ସଂଗେ ଲୋକଙ୍କୁ ପାନୀୟ ଜଳ ଯୋଗାଇଥାଏ ଓ ବାତାବରଣର ତାପମାତ୍ରା ନିୟନ୍ତ୍ରଣ କରିଥାଏ I ନଦୀ ଗୁଡିକର ସୁରକ୍ଷା ଓ ସଂରକ୍ଷଣ କରାଯାଇ ପାରିଲେ ଏହା ଓଡିଶାବାସୀଙ୍କର ଆର୍ଥିକ, ସାମାଜିକ ଓ ଆଧ୍ୟାତ୍ମିକ ବିକାଶରେ ସହାୟକ ହୋଇପାରନ୍ତା I
ନଦୀ ଓଡ଼ିଶାର ଆର୍ଥିକ, ସାମାଜିକ ଓ ଆଧ୍ୟାତ୍ମିକ ବିକାଶରେ ସହାୟକ ହେବ ନଦୀଗୁଡିକର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯଦିଓ ଅନେକ ପଦକ୍ଷେପ ନେଇଛନ୍ତି କିନ୍ତୁ ସକାରାତ୍ମକ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ, ଜନ ସଚେତନତାର ଅଭାବ, ସ୍ବେଛାସେବୀ ସଂସ୍ଥା ମାନଙ୍କର ଶୀଥିଳତା, ନଦୀ ସମସ୍ୟାର ସମାଧାନ ପରିବର୍ତେ ଏହାର ରାଜନୀତିକରଣ, ବୁଦ୍ଧିଜୀବୀ ମାନଙ୍କର ଉଦାସୀନତା, ଗଣମାଧ୍ୟମର ନଦୀଗୁଡ଼ିକର ତୃଣ ମୂଳ ସମସ୍ୟା ଗୁଡିକୁ ଉପସ୍ଥାପନ କରିବାରେ ଉତ୍ସାହ ନଥବାରୁ ଓଡ଼ିଶାରେ ଅନେକ ନଦୀ ସେମାନଙ୍କର ସ୍ରୋତ ହରାଇଲେଣି I ଓଡ଼ିଶାର ଐତିହାସିକ ନଗର କଟକରେ ଦୁଇ ପାର୍ଶ୍ୱରେ ପ୍ରବାହିତ ହେଉଥିବା ମହାନଦୀ ଓ କାଠଯୋଡ଼ି କଟକର ହଜାର ହଜାର ବାସିନ୍ଦାମାନଙ୍କୁ ଏହାର ନିର୍ମଳ ସ୍ରୋତରେ ପ୍ରାତ ସ୍ନାନ କରିବାର ଆନନ୍ଦ ପ୍ରଦାନ କରୁଥିଲା I କଟକର ତେଲେଙ୍ଗା ବଜାର, ଚୌଧୁରୀ ବଜାର, ମାଛୁଆ ବଜାର ଓ ଜୋବ୍ରାର ଶହ ଶହ ମତ୍ସ୍ୟଜୀବୀ ମହାନଦୀ ଓ କାଠଯୋଡ଼ିରୁ ମାଛମାରି ନିଜର ଜୀବିକା ଅର୍ଜନ କରୁଥିଲେ I ମହାନଦୀ ଓ କାଠଯୋଡିର ଅବବାହିକାରେ ରହୁଥିବା ଗ୍ରାମବାସୀମାନେ ଏହି ନଦୀର ଜଳକୁ କୃଷି, ଗୋପାଳନ ଓ ପାନୀୟଜଳ ଭାବରେ ବ୍ୟବହାର କରୁଥିଲେ I ମହାନଦୀର ଉପର ମୁଣ୍ଡରେ ଛତିଶଗଡ ସରକାର ଅନେକ ଡ୍ୟାମ ବନାଇ ଥିବାରୁ ମହାନଦୀ ଓ କାଠଯୋଡ଼ିର ସ୍ରୋତ ଆଜି ସଂକୁଚିତ ହୋଇଯାଇଛି I ବିଭିର୍ଣ୍ଣ ରାଜ୍ୟ ଦେଇ ବୋହି ଯାଉଥିବା ନଦୀ କୌଣସି ଗୋଟିଏ ରାଜ୍ୟର ସମ୍ପତି ନୁହେଁ I ନଦୀର ସ୍ରୋତକୁ ଅସ୍ୱାଭାବିକ ଭାବରେ ରୋକି ଅନ୍ୟ ରାଜ୍ୟର ଅର୍ଥନୀତିକୁ କ୍ଷତି ପହଂଚାଇବା ଯୁକ୍ତି ଯୁକ୍ତ ନୁହେଁ I ମହାନଦୀ ଓଡ଼ିଶାର ଗଙ୍ଗା ନଦୀ ସଦୃଶ I ଏହା ଓଡ଼ିଶାର ଗୌରବଜ୍ୱଲ୍ୟ ଇତିହାସ, ସଂସ୍କୃତି ଓ ନୌବାଣିଜ୍ୟର ମୁକସାକ୍ଷୀ I ଅଧିକ ଡ୍ୟାମ ନିର୍ମାଣ, ପ୍ରଦୂଷଣ, କଂକ୍ରିଟ ଜଙ୍ଗଲ ଓ ଗଛ କାଟିବା ଦ୍ୱାରା ମହାନଦୀ ଅନେକ ଜାଗାରେ ତାହାର ନିର୍ମଳ ସ୍ରୋତକୁ ହରାଇ ବସିଛି I ଯଦିଓ କଳକାରଖାନା, ଭିତ୍ତିଭୂମି ପ୍ରକଳ୍ପ , ଗୃହ ନିର୍ମାଣ, ଡ୍ୟାମ ନିର୍ମାଣ ଓ ଇତ୍ୟାଦି କିଛି ଲୋକଙ୍କୁ ଲାଭବାନ କରିଛି ଓଡ଼ିଶାରେ ଅନେକ ନଦୀ ଶୁଖିଯିବା ଫଳରେ ଅଧିକାଂଶ ଆର୍ଥିକ କ୍ଷତ୍ର ଯଥା କୃଷି, ପଶୁପାଳନ, ଜଳ ପରିବହନ, କୁଟୀର ଶିଳ୍ପ, ତୀର୍ଥ ପର୍ଯ୍ୟଟନ, ସାଧାରଣ ଲୋକଙ୍କ ଜୀବିକା ଓ ପରିବେଶର ଅପୂରଣୀୟ କ୍ଷତି ହୋଇଛି I ବିଗତ ଦଶ ବର୍ଷରେ ହୋଇଥିବା ଏହି କ୍ଷତିର ଆକଳନ କରାଗଲେ ଏହା ଆଧାରଭୁତ, ଗୃହ ନିର୍ମାଣ ଓ ଶିଳ୍ପ କ୍ଷତ୍ରରୁ ମିଳିଥିବା ଲାଭର ଦଶଗୁଣା ହେବ I
ନିକଟରେ ଓଡିଶା ସରକାର ଓଡ଼ିଶାର ଜୀବନରେଖା ମହାନଦୀର ଡ୍ରେନେଜ୍ ଚ୍ୟାନେଲ୍ ଗୁଡିକୁ ପୁନର୍ଜୀବିତ କରିବା ପାଇଁ ୪୯.୬୭ କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି I ଏହା ମହାନଦୀର ସ୍ରୋତକୁ ପୁନଃଜୀବିତ କରିବାରେ ସାହାଯ୍ୟ କରିବ I ପ୍ରକଳ୍ପ କରିବା ସଂଗେ ସଂଗେ ନଦୀଗୁଡ଼ିକର ତୃଣମୂଳ ସମସ୍ୟାଗୁଡ଼ିକର ସମାଧାନ କରିବା ଦରକାର I ଓଡ଼ିଶାରେ ଥିବା ନଦୀଗୁଡ଼ିକର ଉପର ମୁଣ୍ଡରେ ଥିବା ପାହାଡ଼ଗୁଡିକରେ ଥିବା ଜଙ୍ଗଲ ନଷ୍ଟ ହେବା ଫଳରେ ବର୍ଷା ଦିନେ ବଢିପାଣି ପାହାଡ଼ରୁ ମାଟି, ଗଛ ଓ ପଥର ନଦୀଶଯ୍ୟାକୁ ବୋହିନେଇଥାଏ I ଫଳରେ ନଦୀ ଶଯ୍ୟାରେ ବାଲି ଜମାହୋଇ ଏହାର ଉଚ୍ଚତା ବଢିଯାଏ ଓ ନଦୀଗୁଡ଼ିକର ଜଳଧାରଣ କ୍ଷମତା କମିଯାଇଥାଏ I ଐତିହାସିକ କଟକ ନଗରର ଦକ୍ଷିଣ ପାର୍ଶ୍ୱରେ ଥିବା କାଠଯୋଡ଼ି ବନ୍ୟା ସମୟରେ କଟକ ସହରଠାରୁ ପ୍ରାୟ ଦଶଫୁଟ ଉପରେ ପ୍ରଭାହିତ ହୋଇ ଆଜି ସହରବାସୀଙ୍କର ଧନଜୀବନପାଇଁ ବିପଦ ସୃଷ୍ଟି କରୁଛି I ଆଜି ଓଡ଼ିଶାର ନଦୀ ଗୁଡିକରେ ଅଳ୍ପ ବନ୍ୟା ହେଲେ ମଧ୍ୟ ନଦୀଶଯ୍ୟାର ଉଚ୍ଚତା ବଢ଼ିଯାଇଥିବାରୁ ବଢିପାଣି କୁଳଡେଇଁ ଗାଁ ଗଣ୍ଡାରେ ପଶି ଧନଜୀବନ ନଷ୍ଟ କରୁଛି I ଓଡିଶାବାସୀଙ୍କୁ ବନ୍ୟା ପ୍ରକୋପରୁ ରକ୍ଷା କରିବାକୁ ହେଲେ ନଦୀଗୁଡ଼ିକର ଉପରମୁଣ୍ଡ ଓ ନଦୀ ଅବବାହିକାରେ ଥିବା ଜଙ୍ଗଲକୁ ସୁରକ୍ଷିତ ରଖିବା ନିହାତି ଜରୁରୀ I ଜଙ୍ଗଲ ସୁରକ୍ଷାପାଇଁ ପ୍ରଥମେ କାଠ ଓ ପଥର ଚୋରାବେପାରୀଙ୍କ ଜଡକୁ ଯୁଦ୍ଧକାଳିନ ଭିତିରେ ନଷ୍ଟ କରିଦେବା ଦରକାର I ଏହି ଅପରାଧୀ ମାନଙ୍କ କାର୍ଯ୍ୟକଳାପ ଦ୍ୱାରା ବନ୍ୟା ସମୟରେ ଓଡ଼ିଶାରେ ଅନେକ ନିରୀହ ଲୋକ ତାଙ୍କର ଜୀବନ ଓ ଜୀବିକା ହରାଇଥାନ୍ତି I
ନଦୀପଠା, ଫ୍ଲଡପ୍ଲେନ କିମ୍ବା ନଦୀକୂଳରେ ବୃକ୍ଷ ରୋପଣ ଛଡା କୌଣସି ଭିତ୍ତିଭୂମି ବିକାଶ ପ୍ରକଳ୍ପ ତିଆରି କରିବାକୁ ଅନୁମତି ଦେବା ଉଚିତ ନୁହେଁ I ଓଡ଼ିଶାରେ ଥିବା ନଦୀ ଗୁଡିକର ଜଳଧାରଣ କରିବାର କ୍ଷମତା, ଫ୍ଲଡ ପ୍ଲେନର ଆକାର, ନଦୀ ପଠାର ଆକାର ଓ ନଦୀ କୂଳରେ ଥିବା ଗଛଗୁଡ଼ିକର ପଞ୍ଜିକରଣ ହେବା ଦରକାର I ନଦୀକୂଳରେ ଥିବା ଖାଲି ଜାଗାରେ ଦେଶୀ ଗଛର ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ I ଗ୍ରାମବାସୀମାନେ ନଦୀଗୁଡିକ ବନ୍ୟା ସମୟରେ ବୋହିଆଣୁଥିବା ଉର୍ବର ପଟୁମାଟିର ସମ୍ପୂର୍ଣ୍ଣ ଉପଯୋଗ ଫସଲ ଉତ୍ପାଦନ କରିବାରେ ଲଗାଇବା ଦରକାର I
ସହରରେ ଥିବା ଆବର୍ଜନାପୁର୍ଣ ନାଳଗୁଡିକ ସିଧା ନଦୀଜଳରେ ମିଶିଥାଏ I ଅନେକ ଜାଗାରେ ନର୍ଦମା ପାଣିକୁ ସଫା କରାନଯାଇ ନଦୀ ଭିତରକୁ ଛଡା ଯାଇଥାଏ I ସହରର ଯାବତୀୟ ନର୍ଦମା, ପ୍ଲାଷ୍ଟିକ ବ୍ୟାଗ, ହସ୍ପିଟାଲ ଗୁଡିକର ବର୍ଜ୍ୟବସ୍ତୁ, ଭଙ୍ଗା ଇଟା, ପଥର, କନା, କାଗଜ, ସିମେଣ୍ଟ ଓ ମୃତ ପଶୁର ଶରୀର ଇତ୍ୟାଦି ନଦୀଗୁଡିକରେ ପକାଯାଇଥାଏ I ଲୋକ ସଚେତନତାର ଅଭାବରୁ ସହରରେ ଅଧିକାଂଶ ବାସିନ୍ଦା ମୁନିସିପାଲିଟି ନାଳକୁ ନିଜ ଘରର ଡଷ୍ଟବିନ ଭଳି ବ୍ୟବହାର କରିଥାନ୍ତି I ସହରର ଅନେକ ଜାଗାରେ ଖୋଲାନାଳ ଥିବାରୁ ରାସ୍ତାରେ ପଡୁଥିବା ପ୍ଲାଷ୍ଟିକ ପଦାର୍ଥ ସିଧା ନାଳ ଭିତର ଦେଇ ନଦୀକୁ ଯାଇଥାଏ I ସରକାର ଏହି ସାମାଜିକ ବ୍ୟାଧିକୁ ରୋକିବାପାଇଁ ଦୃଢ ପଦକ୍ଷପ ନେବା ଉଚିତ I
ଓଡ଼ିଶାରେ ଥିବା ସମସ୍ତ ନଦୀଗୁଡ଼ିକର ପ୍ରଥମେ ପଞ୍ଜିକରଣ କରାଯାଇ ଜିଓଟ୍ୟାଗ କରାଯିବ ଦରକାର I ସାଟେଲାଇଟ ଚିତ୍ର ମାଧ୍ୟମରେ ପ୍ରତ୍ୟେକ ନଦୀର ବର୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଏହାର ପ୍ରତିକାର ବାହାର କରିବା ଆବଶ୍ୟକ I ସ୍ଥନୀୟ ଲୋକମାନଙ୍କ ଭିତରେ ନଦୀଗୁଡିକର ମନୁଷ୍ୟ ସମାଜପ୍ରତି ଅବଦାନ ବିଷୟରେ ଜାଗରୁକତା ସୃଷ୍ଟି କରାଯିବା ଦରକାର I ଗଣ ମାଧ୍ୟମ ନଦୀଗୁଡ଼ିକର ତୃଣମୂଳ ସ୍ତରର ତଥ୍ୟ ସଂଗ୍ରହ କରିବା ଦରକାର ଓ ନଦୀ ଅର୍ଥନୀତି ଲୋକଙ୍କୁ ଅବଗତ କରାଇବା ପାଇଁ ସମସ୍ତ ପଦକ୍ଷପ ନେବା ଉଚିତ I ଜଳବାୟୁର ଉତ୍ତାପ ବଢିବା ଯୋଗୁଁ ଆଜି ଓଡ଼ିଶାରେ ଶୀତଋତୁ ପ୍ରାୟ ଉଭାନ ହୋଇଯାଇଛି I ନଦୀ ଗୁଡିକ ସୁସ୍ଥ ଓ ସତେଜ ରହିଲେ ଏହା ଓଡ଼ିଶାର ଜଳବାୟୁକୁ ମନୁଷ୍ୟ ରହିବା ଉପଯୋଗୀ କରିବ I ମୋଟର ଗାଡି, କୋଠାବାଡି ଓ ଭିତିଭୂମି ବିକାଶ ପ୍ରକଳ୍ପରୁ କଣ ମିଳିବ ଯଦି ସ୍ଵଛ ନଦୀ, ସୂର୍ଯ୍ୟ କିରଣ, ଖୋଲା ପବନ, ସ୍ଵଛ ଜଳ, ଖୋଲା ପଡିଆ ଓ ଗଛ ଛାଇ ଲୋକଙ୍କୁ ନମିଳେ I ଆଜି ଓଡିଶାବାସୀ ଗରମରେ ସନ୍ତୁଳା ହୋଇଯାଉଛନ୍ତି ଓ ଲଗାତାର ତୋଫାନ ସେମାନଙ୍କୁ କ୍ଷତିଗ୍ରସ୍ତ କରୁଛି I ହଜାର ହଜାର ଲୋକ ଜୀବିକା ଅର୍ଜନ ପାଇଁ ଦୂର ରାଜ୍ୟକୁ ପଳାଉଛନ୍ତି I
ରାଜ୍ୟର ବିକାଶ ସବୁବେଳେ ପ୍ରକୃତି ସାଙ୍ଗରେ ସନ୍ତୁଳନ ରକ୍ଷାକରି କରିବା ଉଚିତ I ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଓଡିଶା ପର୍ଯାବରଣ କଂଗ୍ରେସର ଅଷ୍ଟମ ସଂସ୍କରଣର ଉଦ୍ଘାଟନ ସମାରୋହରେ କହିଥିଲେ ମନୁଷ୍ୟ ସଭ୍ୟତା ବଂଚିରହିବାପାଇଁ ନଦୀଗୁଡ଼ିକର ସୁରକ୍ଷା ନିହାତି ଜରୁରୀ I ବିଶ୍ଵର ବିକଶିତ ଦେଶ କହୁଥିବା ଆମେରିକ, ଇଂଲଣ୍ଡ , ଫ୍ରାନ୍ସ ଓ ଇଉରୋପୀୟ ଦେଶମାନେ ପ୍ରକୃତି ସହିତ ସନ୍ତୁଲୋନ ରକ୍ଷା ନକରି ପ୍ରକୃତିକୁ ନିୟନ୍ତ୍ରଣ କରି ବିକାଶ କରିବାଦ୍ବାରା ପ୍ରତି ପାଞ୍ଚ ବର୍ଷରେ ଥରେ ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇ ଯାଉଛନ୍ତି I ନିଜ ଦେଶର ଆର୍ଥିକ ସ୍ଥିତିକୁ ବଞ୍ଚାଇବାକୁ ଯାଇ ଅନେକ ବିକଶିତ ରାଷ୍ଟ୍ର ବିକାଶଶୀଳ ଦେଶମାନକୁ ଓଲୁ ବନାଇଥାନ୍ତି I କେତେକ ବିଦେଶୀ ରାଷ୍ଟ୍ରମାନଙ୍କ ଦ୍ଵାରା ତିଆରି କରାଯାଇଥିବା ଠକାମି ବିକାଶ ମଡେଲ ଶ୍ରୀଲଙ୍କାରେ ଆର୍ଥିକ ବିପର୍ଯୟର ପ୍ରଧାନ କାରଣ ବୋଲି ଅର୍ଥନୀତି ବିଶାରଦମାନେ କହନ୍ତି I ଶ୍ରୀଲଙ୍କାର ନେତାମାନେ ଏହି କୁହେଳିକା ପୂର୍ଣ୍ଣ ବିକାଶ ମଡେଲ ପଛରେ ବାୟା ଭଳି ଗୋଡାଇ ନିଜ ଦେଶକୁ ରୁଣଯନ୍ତା ଭିତରକୁ ଠେଲିଦେଇଥିଲେ I ଏହି ରୁଣଯନ୍ତାରୁ ମୁକୁଳିବା ପାଇଁ ଶ୍ରୀଲଙ୍କକୁ ଆହୁରି 50 ବର୍ଷ ଲାଗିଯିବ I ଲକ୍ଷ୍ୟହୀନ ଭାବରେ ବ୍ୟୟବହୁଳ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡିକ ନିର୍ମାଣ କରି ଦେଶକୁ ବିକାଶ କରିବାପାଇଁ ବୃଥା ଚେଷ୍ଟାକରି ଶ୍ରୀ ଲଙ୍କାର ନେତାମାନେ ଦେଶର ଅନେକ ଆର୍ଥିକ କ୍ଷତ୍ର ଯଥା କୃଷି, ପର୍ଯ୍ୟଟନ, ହସ୍ତଶିଳ୍ପ, ହସ୍ତତନ୍ତ୍ର, ମତ୍ସ୍ୟ ଉତ୍ପାଦନ, ଫଳଚାଷ ଓ କୁଟୀରଶିଳ୍ପ ଇତ୍ୟାଦି ଅନେକ ଆର୍ଥିକ ଗତିବିଧିକୁ ନଷ୍ଟ କରିଦେଇଥିଲେ I ଆଜି ଶ୍ରୀଲଙ୍କାର ମନୁଷ୍ୟକୃତ ଆର୍ଥିକ ଦୁର୍ବିପାକ ସମସ୍ତ ବିକାଶଶିଳ ଦେଶଙ୍କ ପାଇଁ ଶିକ୍ଷଣୀୟ I ଓଡ଼ିଶାରେ ନଦୀ ଅର୍ଥନୀତିର ବିକାଶ ହେଲେ ଏହା ଓଡ଼ିଆ ଯୁବପିଢିଙ୍କୁ ସ୍ୱାଭିମାନର ସହିତ ଅନେକ ଆର୍ଥିକ ଗତିବିଧି କରିବା ପାଇଁ ଉତ୍ସାହିତ କରିବ I