ମହାସଂକଟରେ ଗଜରାଜ
(Published in Odisha Bhaskar on 25.11.2022)ହାତୀ ଓଡ଼ିଶାର ଇତିହାସ, ସଂସ୍କୃତି ଓ ଅର୍ଥନୀତି ସହିତ ଏକଦା ଓତୋପ୍ରୋତ ଭାବେ ଜଡିତ ଥିଲା I ଓଡ଼ିଶାର ରାଜାମାନଙ୍କୁ ଗଜପତି କୁହାଯାଉଥିଲା I କେତେକ ଐତିହାସିକ ଲେଖିଛନ୍ତି ଗଜପତି ରାଜାମାନଙ୍କ ପାଖରେ ୧୮୦୦୦ ଯୁଦ୍ଧହସ୍ତୀ ଥିଲା I ଷୋଳଶହ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଓଡ଼ିଶାର ଏହି ବିଶାଳ ସେନା ରାଜ୍ୟକୁ ବାହ୍ୟ ଆକ୍ରମଣରୁ ରକ୍ଷା କରୁଥିଲା I ଓଡିଶା ତାହାର ସୌର୍ୟ, ବୀର୍ଯ୍ୟ ଓ ପରାକ୍ରମଦ୍ୱାରା ରାଜ୍ୟର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର କରିଥିଲା ଓ ତାଲିମ ପ୍ରାପ୍ତ ଯୁଦ୍ଧହସ୍ତୀ ଓଡିଶାର ସୀମାକୁ ସୁରକ୍ଷିତ ରଖିବାରେ ସହାୟକ ହେଉଥିଲା I ଓଡ଼ିଶାର ପ୍ରାଚୀନ ମନ୍ଦିର ଗାତ୍ରରେ ଗଜସେନାର ମୂର୍ତ୍ତି ଏବେବି ଦେଖିବାକୁ ମିଳେ I ବଡ ବଡ ବୋଇତ ଉପରେ ହାତୀକୁ ରଖାଯାଇଥିବାର ଦୃଶ୍ୟ ମଧ୍ୟ କେତେକ ମନ୍ଦିର କାନ୍ଥରେ ଦେଖିବାକୁ ମିଳେ I
ଓଡ଼ିଶାରେ ଆଜି ହାତୀ ମହା ସଙ୍କଟ ଭିତରେ ଗତି କରୁଛି I ଘୋର ଜଳରେ ଆଜି କୁମ୍ଭୀର ଜାଗାରେ ମନୁଷ୍ୟର ଲୋଭ ଆଜି ହାତୀର ଜୀବନ ବିପର୍ଣ୍ଣ କରିଦେଇଛି I କଳି ଯୁଗରେ ମନୁଷ୍ୟ ନିଜର ବୁଦ୍ଧି ବିବେକ ହରାଇ ହାତୀର ଘର ଭାଙ୍ଗିବା ସଂଗେ ସଂଗେ ମନୁଷ୍ୟ ରହିବା ଉପଯୋଗୀ ମାଟି, ପାଣି ଓ ପବନକୁ ମଧ୍ୟ ଧ୍ବଂସ କରିବାକୁ ଲାଗିଛି I ଫଳରେ ପ୍ରାକୃତିକ ବିପର୍ଯୟ ବେଳକୁ ବେଳ ଭୀଷଣ ରୂପ ନେଉଛି ଓ ସାରା ବିଶ୍ୱରେ ଏହା ତାଣ୍ଡବ ଲୀଳା ରଚାଉଛି I ବିଶ୍ୱରେ ଆଜି ପଚାଶ ପ୍ରତିଶତରୁ ଅଧିକ ଲୋକ ଭୋକ ଉପାସରେ ଖାଲିପେଟରେ ଶୁଅନ୍ତି I ପ୍ରକୃତ ଶିକ୍ଷା ଦୀକ୍ଷାର ଅଭାବରୁ ପ୍ରଶାସନରେ ଥିବା କେତେକ ଅସାଧୁ ଅଧିକାରୀ ରାଜନେତାଙ୍କୁ ପ୍ରକୃତ ମାର୍ଗ ଦେଖାଇପାରୁନାହାନ୍ତି I ଫଳରେ ବନ୍ୟସମ୍ପଦର ଅପୂରଣୀୟ କ୍ଷତି ହେଉଛି I
ବିଗତ ପଚାଶ ବର୍ଷ ଭିତରେ ଓଡ଼ିଶାରେ ହଜାର ହଜାର ହେକ୍ଟର ଜଙ୍ଗଲ ଓ ଚାଷ ଜମି କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଯାଇଛି I ଯେଉଁଠି ହାତୀର ଚରାଭୂମି ଥିଲା ସେଜାଗାରେ ଅତି କଦାକାର
ସହର ଗୁଡିକ ମୁଣ୍ଡ ଟେକିଛି I ନିଜ ଘର ଭାଙ୍ଗିଯିବା ପରେ ଆଜି ଅନେକ ହାତୀ ପରିବାର ମନୁଷ୍ୟ ବସତି ପାଖରେ ବୁଲୁଥିବାର ଦେଖିବାକୁ ମିଳୁଛି I ଅନେକ ଜାଗାରେ ହାତୀଗୁଡିକୁ ବିଷ ଦେଇ କିମ୍ବା ବନ୍ଧୁକ ଓ ବୋମା ଦ୍ୱାରା ମାରିଦିଆ ଯାଉଛି I ହାତୀର ଶବକୁ ଗାତ ଖୋଳି କିମ୍ବା ପରିତ୍ୟକ୍ତ କୂଅ ଭିତରେ ଫୋପାଡ଼ି ଦିଆ ଯାଉଛି ବୋଲି ଖବର କାଗଜରେ ପ୍ରକାଶ ପାଉଛି I ଏଥିରେ ଅନେକ ଶିଶୁ ହାତୀ ବି ଅଛନ୍ତି I ଅନେକ ଜାଗାରେ ହାତୀଦାନ୍ତ ଚୋରା ବେପାରୀ ହାତୀର ଦାନ୍ତକୁ ତାଡି ନେବା ପରେ ତାର ମୃତ ଶରୀରକୁ ଜଙ୍ଗଲରେ ଫୋପାଡ଼ି ଦେଉଛନ୍ତି I ହାତୀକୁ ମଣିଷର ହତ୍ୟାକାରୀ ବା ଫସଲ ଧ୍ଵଂସକାରୀ ବୋଲି ଚିତ୍ରିତ କରାଯାଉଛି I ଗଣମାଧ୍ୟମ ଓ ପ୍ରଶାସନ ଏହାକୁ ମନୁଷ୍ୟ-ପଶୁ ବିବାଦ କହି
ଆଲୋଚନା ଓ ସମାଲୋଚନାରେ ସମୟ ନଷ୍ଟ କରୁଛି I ହାତୀ ପରିବାରଙ୍କୁ ରାଜ୍ୟରେ ନ୍ୟାୟ ଦେବାପାଇଁ କୌଣସି ନେତା, ଯୁବପିଢ଼ି କିମ୍ବା ନ୍ୟାୟ ବ୍ୟବସ୍ଥା ଆଗେଇ ଆସୁନାହାନ୍ତି I
ଜଙ୍ଗଲର ଜୀବନ କହିଲେ ହାତୀ I ସେମାନେ ଜଙ୍ଗଲକୁ ସୁସ୍ଥ ଓ ସତେଜ ରଖିବା ସଂଗେ ସଂଗେ ଜଂଗଲରେ ଥିବା ବଣ୍ୟ ପ୍ରାଣୀ ଓ କୋଟି କୋଟି ଟଙ୍କା ମୂଲ୍ୟର ଜଙ୍ଗଲ ଜାତ ଦ୍ରବ୍ୟର ସୁରକ୍ଷା କରିଥାନ୍ତି I ଆଦିବାସୀମାନେ ଯୁଗ ଯୁଗରୁ ବନ୍ୟ ପ୍ରାଣୀମାନଙ୍କ ସଂଗେ ରହିବା ଶିଖିଥିଲେ I ସେମାନେ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସହରୀ ଲୋକଙ୍କୁ ବିକି କିଛି ଅର୍ଥ ପାଉଥିଲେ I ଜଙ୍ଗଲରେ ମିଳୁଥିବା ଫଳ ମୂଳ ସେମାନଙ୍କୁ ପର୍ୟାପ୍ତ ପରିମାଣରେ ମିଳୁଥିଲା I କେତେ ଆଦିବାସୀ ଇଲାକାରେ ଚାଷ ମଧ୍ୟ କରାଯାଉଥିଲା I ଆଦିବାସୀମାନେ ଅତି ଉଚ୍ଚ କୋଟିର ଚିତ୍ର ଓ ହସ୍ତ ଶିଳ୍ପ ବନାଇପାରନ୍ତି ଯାହାର ଚାହିଦା ବିଶ୍ୱ ହସ୍ତଶିଳ୍ପ ବଜାରରେ ଅଛି I ସରକାର ରାଜ୍ୟରେ ଦରକାର ମୁତାବକ ଭିତ୍ତିଭୁମି ବିକାଶ କରିବା ଦରକାର I ଯଦି ଭିତ୍ତିଭୂମି ବିକାଶ ମାତ୍ରାଧିକ ହୋଇଥାଏ ଏହା ପ୍ରକୃତିର ସନ୍ତୁଳନ ବିଗାଡି ଦେଇଥାଏ I ଅଧିକ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଆଜି ଅନେକ ହାତୀ ପରିବାର ବେଘର ହୋଇଯାଇଛନ୍ତି I ସରକାର ଭିତ୍ତିଭୂମି ବିକାଶ ପ୍ରକଳ୍ପ ଗୁଡିକର ଉପକାରିତା ତୃଣ ମୂଳ ସ୍ଥରରେ ମୂଲ୍ୟାୟନ କରିବା ଉଚିତ I ବିଗତ ୩୦ ବର୍ଷ ଭିତରେ କୋଟି କୋଟି ଟଙ୍କା ମୂଲ୍ୟରେ ହୋଇଥିବା ଅନେକ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡିକ ଅନେକ ଜାଗାରେ ପରିତ୍ୟକ୍ତ ଅବସ୍ଥାରେ ପଡିଛି I
ସୁସ୍ଥ ଓ ସୁରକ୍ଷିତ ଜଙ୍ଗଲ ଅନେକ ଆର୍ଥିକ ଗତିବିଧିରେ ସହାୟକ ହୋଇଥାଏ I ବନ୍ୟ ପଶୁ ପକ୍ଷୀ ଓ ଆଦିବାସୀ ଜୀବନ ଶୈଳୀ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଆସିଥାନ୍ତି I ସେମାନେ ହାତୀ ପିଠିରେ ବସି ବଣ୍ୟ ଜୀବନ ଦେଖିବାର ଆନନ୍ଦ ପାଇଥାନ୍ତି I ରାଜସ୍ଥାନ ଓ ଉତ୍ତରାଖଣ୍ଡ ସରକାର ପୋଷା ହାତୀକୁ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବହାର କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାନ୍ତି I
ରାଜସ୍ଥାନର ଅମେର କିଲ୍ଲାରେ ହାତୀ ପିଠିରେ ବିଦେଶୀ ପର୍ଯ୍ୟଟକ
ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଅଛି ଯେଉଁଠି ପୋଷା ହାତୀକୁ ବ୍ୟବହାର କରିହେବ I ଓଡ଼ିଶାରେ ଥିବା ସମୁଦ୍ର ବେଳାଭୂମି, ଅଭୟାରଣ୍ୟ ଓ ପ୍ରାଣୀ ଉଦ୍ୟାନ ଇତ୍ୟାଦିରେ ପୋଷା ହାତୀକୁ ବିନିଯୋଗ କରାଯାଇପାରିବ I ଓଡିଶା ଅନ୍ୟ ରାଜ୍ୟ ଓ ଦେଶର ପ୍ରାଣୀ ଉଦ୍ୟାନକୁ ମଧ୍ୟ ପୋଷା ହାତୀ ପଠାଇ ପାରିବ I ରାଜସ୍ଥାନର ଅମେର କିଲ୍ଲାରେ ହାତୀ ପିଠିରେ ବସି ବୁଲିବା ପାଇଁ ପର୍ଯ୍ୟଟକ ମାନଙ୍କ ଭିଡ ଜମିଥାଏ I ଓଡ଼ିଶାରେ ଥିବା ଜଙ୍ଗଲ ଗୁଡିକର ଭିତର ଭାଗକୁ ପାଟ୍ରୋଲିଂ କରିବା ପାଇଁ ହାତୀ ଏକ ମାତ୍ର ମଧ୍ୟମ I ଯଦିଓ ପ୍ରଶାସନ ପାଖରେ ଵାହନ ଓ ଇଲେକ୍ଟ୍ରୋନିକ ଉପକରଣ ଅଛି ଓ ଜଙ୍ଗଲରେ ପିଚୁ ରୋଡ଼ ହୋଇଛି, ଘଞ୍ଚ ଜଙ୍ଗଲ ଭିତରେ ହେଉଥିବା କାଠ ଚୋରା ବେପାର ଓ ଅଫିମ ଚାଷ ଇତ୍ୟାଦି ହାତୀ ସାହାଯ୍ୟରେ ନିରୀକ୍ଷଣ କରାଯାଇପାରିବ I ଚୋରା ବେପାରୀମାନେ ଦିନରେ ଘଂଚ ଜଙ୍ଗଲ ଭିତରକୁ ଯାଇ କାଠ କାଟିଥାନ୍ତି I ରାତିରେ ଏହି କାଠ ଗୁଡିକ ଗାଡିରେ ସହରକୁ ଅଣାଯାଇ ଫର୍ନିଚର ବନାଯାଇ ବିକ୍ରି କରାଯାଏ I ହାତୀର ଉପସ୍ଥିତି ସମସ୍ତ ପଶୁ ପକ୍ଷୀ ଓ ଜଙ୍ଗଲ ସମ୍ପଦକୁ ସୁରକ୍ଷିତ ରଖିଥାଏ I ଜଙ୍ଗଲ ସୁରକ୍ଷିତ ରହିଲେ ବାତାବରଣର ଉତ୍ତାପ ବଢେନାହିଁ I ଆଜି ଓଡିଶାରୁ ଶୀତ, ଶରତ, ହେମନ୍ତ ଓ ବସନ୍ତ ଋତୁ ପ୍ରାୟ ଉଭାନ ହୋଇଗଲାଣି I ଓଡିଶାବାସୀ ବର୍ଷକୁ ଆଠମାସ ଗ୍ରୀଷ୍ମ ତାପର ଶିକାର ହେଉଛନ୍ତି I ଜଙ୍ଗଲରେ ଅନେକ ମାରାତ୍ମକ ଭୁତାଣୁ ନିୟନ୍ତ୍ରଣରେ ରହିଥାଏ I ଜଙ୍ଗଲ କାଟିବା ଦ୍ୱାରା ଏହି ଭୁତାଣୁମାନେ ପଶୁ ପକ୍ଷୀଙ୍କ ମାଧ୍ୟମରେ ମଣିଷ ଦେହକୁ ଆସି ମହାମାରୀ ବଢ଼ାଇ ଥାନ୍ତି I କରୋନା ଭୁତାଣୁ ମଧ୍ୟ ଏହିପରି ଭାବରେ ମଣିଷ ସମାଜକୁ ଆସିଛି ବୋଲି ଅନେକ ଭୁତାଣୁ ବିଶେଷଜ୍ଞ କହନ୍ତି I
ହାତୀର ସୁରକ୍ଷାପାଇଁ ପ୍ରଥମେ ସରକାର ଜଙ୍ଗଲର ଅବକ୍ଷୟ ଯୁଦ୍ଧକାଳୀନ ଭିତ୍ତିରେ ରୋକିବା ଉଚିତ I
ଢେଙ୍କାନାଳ, ଅନୁଗୁଳ, କୋରାପୁଟ, ସୁନ୍ଦରଗଡ, ବଲାଙ୍ଗୀର ଓ ମୟୁରଭଞ୍ଜ ଇତ୍ୟାଦି ଅଂଚଳରେ କାଠ ବେପାରୀଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଉଚିତ I କାଠ, ହାତୀଦାନ୍ତ, ବାଘଛାଲ, ହରିଣ ସିଂହ, ଗୟଳ ସିଂହ ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ଇତ୍ୟାଦିର ଚୋରା ବେପାରର ଜଡ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ଉଚିତ I ସାଟେଲାଇଟ ଚିତ୍ର ମାଧ୍ୟମରେ ଜଙ୍ଗଲର ବର୍ତ୍ତମାନ ସ୍ଥିତି ଜାଣିବା ନିହାତି ଜରୁରୀ I ଜଙ୍ଗଲ ସୁରକ୍ଷା ପାଇଁ ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ନିୟୋଜିତ କରିବା ଉଚିତ I ଜଙ୍ଗଲ ସୁରକ୍ଷା କର୍ମୀଙ୍କୁ ଆଧୁନିକ ଅସ୍ତ୍ର ଓ ଇଲେକ୍ଟ୍ରୋନିକ ଉପକରଣ ଉପଲବ୍ଧ କରାଇବା ଦରକାର I ଯଦି କୌଣସି କର୍ମଚାରୀ କିମ୍ବା ଅଧିକାରୀ ଚୋରା ବେପାରୀଙ୍କ ସହିତ ସମ୍ପୃତ ଅଛନ୍ତି ତେବେ ସେମାନଙ୍କୁ ନିଲମ୍ବିତ କରିଦେବା ଉଚିତ I ଗଣମାଧ୍ୟମ ଜଙ୍ଗଲ କ୍ଷେତ୍ର ଉପରେ ତୃଣ ମୂଳ ସ୍ଥରରେ ରିପୋର୍ଟିଂ କରିବା ଅତ୍ୟନ୍ତ ଆବଶ୍ୟକ I ପ୍ରକୃତିକୁ ଅବମାନନା କରି ମଣିଷ ସମାଜ କେବେବି ବଂଚି ପାରିବନି I ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହନ୍ତି ମନୁଷ୍ୟ ପ୍ରକୃତିର ସହଯୋଗରେ ହିଁ ବଂଚି ଥାଏ I ଓଡ଼ିଶାର ବୁଦ୍ଧିଯିବି, ଯୁବପିଢ଼ି ଓ ନେତା ଏହା ହୃଦୟଙ୍ଗମ କରିବା ଦରକାର I