କଟକର ମୂର୍ତ୍ତିକଳା ପରମ୍ପରାର ସୁରକ୍ଷା
(Published in the Sakala on 23.09.2022)
ସମଗ୍ର ବିଶ୍ୱ ଆଜି ପ୍ରକୃତି ସାଙ୍ଗରେ ସାମଞ୍ଜସ୍ୟ ନରଖି ବିକାଶ ପାଇଁ ପ୍ରୟାସ କରିବା ଦ୍ୱାରା ଜଳବାୟୁ ପରିବର୍ତ୍ତନରୁ ଉତ୍ପର୍ଣ୍ଣ ହୋଇଥିବା ଏକ ଭୀଷଣ ବିଭୀଷିକାର ଶିକାର ହୋଇଛି I ବିଗତ ଦୁଇ ଦଶନ୍ଧିରେ ପ୍ରାକୃତିକ ଵିପର୍ୟୟର ସଂଖ୍ୟା ବଢିବା ସଂଗେ ସଂଗେ ଏହାର ଭୀଷଣତା ଅଧିକ ହୋଇଛି ବୋଲି ଅନେକ ଆନ୍ତର୍ଜାତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି I ସମଗ୍ର ବିଶ୍ୱରେ ଆଜି ଲକ୍ଷ ଲକ୍ଷ ଲୋକଙ୍କର ଧନ ଜୀବନ ହାନି ହୋଇଛି I ବନ୍ୟା , ବାତ୍ୟା , ଜଙ୍ଗଲ ପୋଡି, ଭୂମିକମ୍ପ , ବାଦଲ ଫଟା ବର୍ଷା ଓ ଭୁ-ସ୍ଫଳନ ଇତ୍ୟାଦିକୁ ଦେଖିଲେ ଲାଗେ ସତେ ଯେପରି ପ୍ରକୃତି ମଣିଷ ସମାଜକୁ ଭୟଙ୍କର ପ୍ରଳୟ ଆସିବା ପୂର୍ବରୁ ଚେତାବନୀ ଦେଉଛି I ପ୍ରାଚୀନ ଭାରତୀୟ ସଂସ୍କୃତିରେ ପ୍ରକୃତି ସହିତ ସନ୍ତୁଳନ ରକ୍ଷାକରି କିଭଳି ଆର୍ଥିକ, ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ କରିହେବ ଏହାର ଉଲ୍ଲେଖ ଅଛି I ଓଡିଶାର ୩୩ ଲକ୍ଷ କୁମ୍ଭକାର ଅନେକ କିସମର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ତିଆରି କରିବା ସଂଗେ ସଂଗେ ବିଭିର୍ଣ ପ୍ରକାରର ଘରସଜାଇବା ବସ୍ତୁ ମଧ୍ୟ ତିଆରି କରିଥାନ୍ତି I ବିଶ୍ୱ ବଜାରରେ ଏହି ପରିବେଶ ଅନୁକୂଳ ପଦାର୍ଥ ଗୁଡିକର ଚାହିଦା ବଢି ଚାଲିଛି I ତେଲେଙ୍ଗାନା ରାଜ୍ୟର ଆଦିଲାବାଦ ଜିଲ୍ଲାର କୁମ୍ଭକାରମାନଙ୍କଦ୍ୱାରା ତିଆରି ମାଟି ମାଠିଆ ଭାରତର ଅନେକ ରାଜ୍ୟରେ ଲୋକପ୍ରିୟ ହୋଇପାରିଛି I ଗ୍ରୀଷ୍ମ ଋତୁରେ ଏହି ମାଠିଆ ଗୁଡିକ ବହୁତ ଅଧିକ ମାତ୍ରାରେ ବିକ୍ରୀ ହୋଇଥାଏ I ଓଡ଼ିଶାର କୁମ୍ଭକାରମାନେ ମଧ୍ୟ ମାଠିଆ , ସୁରେଇ , ହାଣ୍ଡି , ଧୂପଦାନୀ , ଫୁଲଦାନୀ , ମାଟିରେ ତିଆରି ଡାଇନିଂ ଟେବୁଲ , ମାଟିରେ ତିଆରି ଆଧୁନିକ ଘର ସିଲିଂ , ସୁନ୍ଦର ସୁନ୍ଦର ଘର ସଜାଇବା ଦ୍ରବ୍ୟ , ମୂର୍ତ୍ତି ଓ ମାଟିର ଚା ଗିଲାସ ଆଦି ଅନେକ ପ୍ରକାରର ଜିନିଷ ବଜାରରେ ବିକ୍ରୀକରିପାରିବେ I ଆଜି ଗୁଜୁରାଟରେ ତିଆରି ମାଟିହାଣ୍ଡି, କଡେଇ ଓ ପାଣିବୋତଲ ଇତ୍ୟାଦି ସାରାଦେଶରେ ଲୋକପ୍ରିୟ ହୋଇପାରିଛି I ଓଡ଼ିଶାର ମୃତ୍ତିକା ଶିଳ୍ପୀମାନେ ଅତି ଉଚ୍ଚକୋଟୀର ଟେରାକୋଟା କାମ କରିପାରନ୍ତି ଯାହାର ଚାହିଦା ଦେଶ ବିଦେଶରେ ଅଛି I ଓଡିଶାରେ ମୃତ୍ତିକା ଶିଳ୍ପ ପରମ୍ପରାକୁ ଯଦି ସୁରକ୍ଷିତ ରଖାଯାଇପାରନ୍ତା ତେବେ ଓଡିଶା ଏହି ପଦାର୍ଥଗୁଡିକ ବିଶ୍ୱ ହସ୍ତଶିଳ୍ପ ବଜାରରେ ବିକି ଅନେକ ବିଦେଶୀ ମୁଦ୍ରା ଅର୍ଜନ କରିବା ସଂଗେ ସଂଗେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରନ୍ତା I
ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକର କୁମ୍ଭାରସାହିର ମାୟାଧର ବେହେରା , ଫକୀର ପରିଡା ଓ ଶ୍ରୀଧର ରଣାଙ୍କ ଭଳି ଅନେକ ମୂର୍ତ୍ତିକା ଶିଳ୍ପୀ ଦେଶ ବିଦେଶରେ ସୁନାମ ଅର୍ଜନକରି ଓଡ଼ିଶାର ଶିଳ୍ପକଳା ପରମ୍ପରାକୁ ଜାଯୄଲ୍ୟମାନ କରିଛନ୍ତି I ଆଜି ମଧ୍ୟ ଅନେକ ମୃତ୍ତିକା ଶିଳ୍ପୀ ନିଜର ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ଏହି କଳାକୁ ବଞ୍ଚାଇ ରଖିଛନ୍ତି I କଟକର ଅନେକ ମୃତିକା ଶିଳ୍ପୀ ଭାରତର ବିଭିର୍ନ୍ନ ସହରରେ ଓ ବିଦେଶରେ ଅନେକ କାରୁକାର୍ଯ୍ୟମୟ ମନ୍ଦିର ଓ ମୁର୍ତି ତିଆରି କରୁଛନ୍ତି I କଟକର ମୃତିକା ଶିଳ୍ପୀ ମାୟାଧର ବେହେରାଙ୍କ କଳାତ୍ମକ ରଚନାରେ ଅକୃଷ୍ଟ ହୋଇ ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା ପୃଥ୍ୱୀରାଜ କପୁର ବମ୍ବେରେ ଥିବା ତାଙ୍କ ସ୍ଟୁଡ଼ିଓରେ ଶିଳ୍ପୀ ମାୟାଧର ବେହେରାଙ୍କୁ କାମକରିବାକୁ ସୁଯୋଗ ଦେଇଥିଲେ I ଆଜି ଅନେକ ଓଡ଼ିଆ ଶିଳ୍ପୀ ଏବେମଧ୍ୟ ବମ୍ବେ ଓ ହାଇଦ୍ରାବାଦ ଫିଲ୍ମ ସିଟିରେ କାମକରୁଥିବାର ଦେଖିବାକୁ ମିଳେ I ମାୟାଧର ବେହେରା ଭୁବନେଶ୍ୱରରେ ଥିବା ଆଦିବାସୀ କଳାକେନ୍ଦ୍ରରେ ଓଡ଼ିଶାର ଆଦିବାସୀ ମାନଙ୍କର ଜୀବନଶୈଳୀକୁ ନିଖୁଣ ଭାବରେ ତିଆରିକରିଛନ୍ତି I ଦଶହରା ସମୟରେ ମାୟାଧର ବେହେରା ବନାଇଥିବା ଶିବ ପାର୍ବତୀଙ୍କ ବିବାହର ଦୃଶ୍ୟ ଓ ଶିବ ପୁରାଣରେ ବର୍ଣ୍ଣିତ ଅନେକ ବିଷୟବସ୍ତୁ ଆଜି ମଧ୍ୟ କଟକବାସୀ ମନେ ରଖିଛନ୍ତି I ମୃତିକା ଶିଳ୍ପୀ ମାୟାଧର ବେହେରାଙ୍କ କାମ ଆଗାମୀ ଯୁବପିଢିଙ୍କୁ ସବୁବେଳେ ପ୍ରେରଣା ଯୋଗାଇବ I ସେହିଭଳି କଟକର ମୃତିକା ଶିଳ୍ପୀ ଫକୀର ପରିଡା ବିଭିର୍ଣ୍ଣ ଦେଶରେ କାରୁକାର୍ଯ୍ୟ ପୂର୍ଣ୍ଣ ହିନ୍ଦୁ ମନ୍ଦିର ନିର୍ମାଣ କରିଛନ୍ତି I ସେ ହରିଦ୍ୱାରରେ ରହି ଭାରତ ମାତା ମନ୍ଦିର, ସମୁଦ୍ର ମନ୍ଥନ ଓ ଅନେକ ଦେବ ଦେବୀଙ୍କ ମୂର୍ତି ନିର୍ମାଣ କରିଛନ୍ତି I
ଯଦିଓ କଟକର ମୃତିକା ଶିଳ୍ପୀମାନେ ଓଡିଶା ବାହାରକୁ ଯାଇ ନାମ ଓ ଯଶ କମାଇଛନ୍ତି କିନ୍ତୁ ଓଡ଼ିଶାରେ ରହୁଥିବା ଅନେକ କୁଶଳୀ ମୃତିକା ଶିଳ୍ପୀ ନିଜ ରାଜ୍ୟରେ ଏକ ଅବହେଳିତ ଜୀବନ ବିତାଉଛନ୍ତି I କଳାପ୍ରତି ସମାଜର ଅନାଦର ଭାବ, ଲୋକ ସଚେତନତାର ଅଭାବ ଓ ପାଶ୍ଚାତ୍ୟ ସଂସ୍କୃତିର କୁପ୍ରଭାବ ଇତ୍ୟାଦି ଓଡ଼ିଶାରେ ମୃତିକା ଶିଳ୍ପର ବିକାଶରେ ବାଧା ସୃଷ୍ଟି କରୁଛି I ଯୁବପିଢିଙ୍କ ଭିତରେ କଳାକୁ ମୂଲ୍ୟାୟନ କରିବାର କ୍ଷମତା ଲୋପ ପାଇଗଲାଣି I ସରକାର ପ୍ରକୃତ ଶିଳ୍ପୀମାନଙ୍କୁ ଓଡ଼ିଶାର ସ୍କୁଲଗୁଡିକରେ କଳାଶିକ୍ଷା ଦେବାପାଇଁ ନିୟୋଜିତ କରିବା ଦରକାର I ସାହି ବସ୍ତିରେ ଥିବା ଶିକ୍ଷିତ କଳାପ୍ରେମୀ ଲୋକମାନେ ପୂଜା କମିଟିରେ ରହି କଟକର ମୂର୍ତି କାମକୁ ପ୍ରୋତ୍ସାହନ ଦେବା ଉଚିତ I ଓଡ଼ିଶାର ସଂକୃତି ଓ ମୃତିକା ଶିଳ୍ପ ପରମ୍ପରାକୁ କଟକର ମୃତିକା ଶିଳ୍ପୀଙ୍କର ଅବଦାନ ଅତୁଳନୀୟ I
ପଚାଶ ବର୍ଷ ତଳେ କଟକର ମୃତ୍ତିକା ଶିଳ୍ପୀମାନେ ଦୁର୍ଗା ପୂଜା , ଗଣେଶ ପୂଜା , କାର୍ତ୍ତିକେଶ୍ୱର ପୂଜା, ସରସ୍ବତୀ ପୂଜା , ଲକ୍ଷ୍ମୀ ପୂଜା , ବିଶ୍ୱକର୍ମା ପୂଜା ଓ କାଳୀପୂଜା ସମୟରେ ଉଚ୍ଚକୋଟୀର ମୂର୍ତି ତିଆରି କରି ଦେଶ ବିଦେଶର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରୁଥିଲେ I ମୃତିକା ଶିଳ୍ପୀମାନେ ରାମାୟଣ ଓ ପୁରାଣର ବିଷୟବସ୍ତୁ ଗୁଡିକୁ ନିଖୁଣ ଭାବରେ ତିଆରିକରି କଟକର ମୃତିକା କାମକୁ ସାରା ଭାରତରେ ପ୍ରସିଦ୍ଧ କରିଥିଲେ I
ଝାଞ୍ଜିରୀମଙ୍ଗଳାରେ ହେଉଥିବା ପୌରାଣିକ ବିଷୟ ବସ୍ତୁରେ ଥିବା ମନୁଷ୍ୟ ମୂର୍ତି ଏତେ ନିଖୁଣ ହେଉଥିଲା ଏହାକୁ ନିକଟରୁ ନଦେଖିଲେ ଏହା ପ୍ରକୃତ ମଣିଷ କି ମୂର୍ତି ଜାଣିବା କଷ୍ଟକର ହେଉଥିଲା I ନୟାସଡ଼କ, ମାଣିକଘୋଷବଜ଼ାର, ବକ୍ସି ବଜାର, ଚାନ୍ଦିନୀ ଚଉକ, ଶେଖ ବଜାର, ଚୌଧୁରୀ ବଜାର, ରାଣୀହାଟ ଓ ବଙ୍ଗାଳିସାହି
ଇତ୍ୟାଦିରେ ଅତି ଉଚ୍ଚକୋଟିର ମୂର୍ତିକାମ ହେଉଥିଲା I ଆଜି କଟକ ମୂର୍ତିକାମର ସେ ଆକର୍ଷଣ ଆଉ ନାହିଁ I ଲୋକେ କଟକର ମୂର୍ତିକାମ ଦେଖିବାକୁ ଆସି ନିରାଶ ହେଉଛନ୍ତି I ସରକାର ଓ ସାହିମୁରବୀମାନେ କଟକ ମାଟିକାମର ଗୁଣାତ୍ମକ ମାନକୁ କିଭଳି ବଞ୍ଚାଇ ରଖାଯିବ ସେଥିପାଇଁ ତୁରନ୍ତ ପଦକ୍ଷପ ନେବା ଉଚିତ I ପୂଜା ସମୟରେ ଭୋଜି ଭାତ ଓ ଆମୋଦ ପ୍ରମୋଦରେ ସାଇ ଲୋକଙ୍କ ଚାନ୍ଦା ଖର୍ଚ ନକରି ସେଇ ଟଙ୍କାରେ ଉଚ୍ଚ ମାନର ମୂର୍ତି ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉଚିତ I କଟକର ସୁସ୍ଥ ପରିବେଶ ଓ ମୂର୍ତି କାମ ପରମ୍ପରା ବଂଚି ରହିଲେ ଏହା ପର୍ଯ୍ୟଟନ ବିକାଶରେ ସହାୟକ ହେବ ଓ ଅନେକ ଲୋକଙ୍କର ରୋଜଗାର ବଢାଇବ I
ଆଜି କଟକର ସାହିବାସିନ୍ଦାମାନେ ମୂର୍ତି ଅପେକ୍ଷା ଲାଇଟ , କାନଫଟା ଡିଜେ , ସଂଗୀତ ଓ ଡେକୋରେସନ ଉପରେ ବେଶୀ ଧ୍ୟାନ ଦେଉଛନ୍ତି I ଉପଯୁକ୍ତ ପାରିଶ୍ରମିକ ନମିଳିବାରୁ ଶିଳ୍ପୀମାନେ ଆଉ ଉଚ୍ଚକୋଟୀର ମୁର୍ତୀ ବନାଉନାହାନ୍ତି
I ସବୁଠାରୁ ଦୁଃଖର କଥା ସାହିବାସିନ୍ଦାମାନେ ରାଜ୍ୟ ବାହାରୁ ଶିଳ୍ପୀମାନକୁ ଡକାଇ ଶସ୍ତାରେ ନିମ୍ନ ମାନର ମୁର୍ତୀ ନିର୍ମାଣ କରୁଛନ୍ତି I କଟକ ଦଶହରାର ବିଶେଷତ୍ୱ ହେଲା ଏହାର ସୁନ୍ଦର ଓ କଳାତ୍ମକ ମୂର୍ତିକାମ I ଆଜି ନାଚ , ଗୀତ, ମଦ ଓ ଭୋଜିଭାତ ଭିତରେ କଟକର ମୃତିକା ଶିଳ୍ପ ଲୋପ ପାଇଗଲାଭଳି ଲଗୁଛି I ସରକାର ଓ ଜନସାଧାରଣ ମୂର୍ତ୍ତିକାଶିଳ୍ପର ମହତ୍ତ୍ୱ ବୁଝି ଏହାର ପ୍ରସାର ଓ ଲୋକପ୍ରିୟତା ବଢାଇବା ଦରକାର I ସରକାର ହସ୍ତଶିଳ୍ପ ବିଭାଗରେ ସଚୋଟ , ନିଷ୍ଠାପର ଓ ଦକ୍ଷ ଅଧିକାରୀଙ୍କ ସହାୟତାରେ ରାଜ୍ୟରେ ଥିବା ଅସଲି ମୃତ୍ତିକା କାରିଗରଙ୍କର ଚିଠା ବନାଇବା ଦରକାର I ସେମାନାଙ୍କ ପାଇଁ ପେନଶନର ବ୍ୟବସ୍ଥା କରି ଯୁବପୀଡ଼ିଙ୍କୁ
ମୃତ୍ତିକା ଶିଳ୍ପ ବିଷୟରେ ତାଲିମ ଦେବା ନିତ୍ୟାନ୍ତ ଦରକାର I ସରକାରଙ୍କ ସଂସ୍କୃତି ବିଭାଗ କଟକର ସାହି ସାହି ଭିତରେ ପ୍ରତିଯୋଗିତା କରାଯାଇ ମୃତିକା ଶିଳ୍ପୀଙ୍କୁ ମୂର୍ତିକାମ ପାଇଁ ପୁରସ୍କାର ବିତରଣ କରିବା ଉଚିତ I ଓଡ଼ିଶାର ମୃତ୍ତିକା ଶିଳ୍ପର ସୁରକ୍ଷା ଓ ବିକାଶପାଇଁ ରାଜନେତା , ବୁଦ୍ଧିଜୀବୀ , ଯୁବ ପିଡି ଓ ମିଡ଼ିଆର ସହଯୋଗ ନିତ୍ୟାନ୍ତ ଆବଶ୍ୟକ I