ଅର୍ଥନୈତିକ ଦୁର୍ବିପାକ ଓ ଗଣଆନ୍ଦୋଳନ (Published in the Odia news daily Sakala dated 14.07.2022)
କୃଷି, ପର୍ଯ୍ୟଟନ, ତୀର୍ଥ ପର୍ଯ୍ୟଟନ, ମତ୍ସ୍ୟ ପାଳନ, ଜଙ୍ଗଲଜାତ ଦ୍ରବ୍ୟ, ସାମୁଦ୍ରିକ ସମ୍ପଦ ଓ ହସ୍ତଶିଳ୍ପଜନିତ ଆର୍ଥିକ ଗତିବିଧିରେ ଶ୍ରୀଲଙ୍କା ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଗଣା ଯାଉଥିଲା I ଅନେକ ଖଣିଜ ସମ୍ପଦ ଯଥା ଫସଫେଟ୍, ଗ୍ରାଫାଇଟ୍, ଚୂନପଥର ଓ ରତ୍ନ ପଥର ଇତ୍ୟାଦି ଶ୍ରୀଲଙ୍କାର ଆର୍ଥିକସ୍ଥିତି ସୁଦୃଢ କରିଥିଲା I ଟେକ୍ସଟାଇଲ୍, ପୋଷାକ ତିଆରି, ରାସାୟନିକ ଦ୍ରବ୍ୟ, କାଠକାମ, କାଗଜ ଓ ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ଶିଳ୍ପରେ ଶ୍ରୀଲଙ୍କା ଅନେକ ପ୍ରଗତି କରିଥିଲା I ଶ୍ରୀଲଙ୍କା ଚା, ରବର, ନଡ଼ିଆ ଓ ବିଭିନ୍ନ ପ୍ରକାରର ମସଲା ଦ୍ରବ୍ୟ ବିକି ଅନେକ ବିଦେଶୀ ମୁଦ୍ରା ଉପାର୍ଜନ କରୁଥିଲା I ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଭାରତ ଠାରୁ ମଧ୍ୟ ଭଲ ଥିଲାବୋଲି କେତେକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି I ଦୀର୍ଘ ତିନି ଦଶନ୍ଧି ଧରି ଚାଲିଥିବା ତାମିଲ ସଂତ୍ରାସବାଦର ଅନ୍ତ ହେବାପରେ ଶ୍ରୀଲଙ୍କା ଏକ ବିକଶିତ ଦେଶ ହେବାପାଇଁ ଅନେକ ସମ୍ଭାବନା ଦେଖାଇଥିଲା I ଏତେ ସମ୍ପଦର ଅଧିକାରୀ ଥିବା ସତ୍ବେ ଶ୍ରୀଲଙ୍କା ଆଜି ଏକ କୁହେଳିକା ପୂର୍ଣ୍ଣ ବିକାଶ ମଡେଲକୁ ଆବୋରି ନେଇ ନିଜକୁ ଋଣ ଯନ୍ତା ଭିତରକୁ ଠେଲି ଦେଇଥିଲା I
ଶ୍ରୀଲଙ୍କାର ନେତାମାନେ ନିଜ ଦେଶପାଇଁ ଅନୁପଯୋଗୀ ଅନେକ ବ୍ୟୟ ବହୁଳ ପ୍ରକଳ୍ପଗୁଡିକ ବାହାର ଦେଶରୁ ଅଧିକ ସୁଧରେ ମିଳୁଥିବା ଋଣରେ ବନାଇବାକୁ ଲାଗିଲେ I ଭାଲୁ ଧରାଇଲା ଭଳି ଚୀନ ଶ୍ରୀଲଙ୍କାକୁ ଏକ କୁହେଳିକାପୂର୍ଣ୍ଣ ଇନ୍ଫ୍ରାଷ୍ଟ୍ରକଚର ଉପରେ ଆଧାରିତ ବିକାଶ ମଡେଲକୁ ଧରାଇ ଦେଲା I ଏହି ପ୍ରକଳ୍ପଗୁଡିକୁ ତିଆରି କରିବା ପାଇଁ ଶ୍ରୀଲଙ୍କା ବିଭିର୍ଣ୍ଣ ଦେଶରୁ ଅତ୍ୟଧିକ ଋଣ କରି ଚୀନର ଆର୍ଥିକ ଅବସ୍ଥାକୁ ସୃଦୁଢ କରିଥିଲା I ଏହି ମେଗା ପ୍ରକଳ୍ପଗୁଡିକ ଶ୍ରୀଲଙ୍କା ପାଇଁ ରାଜସ୍ୱ ଉପଲବ୍ଧ କରିବା ପରିବର୍ତ୍ତେ ଦେଶକୁ ଆର୍ଥିକ ଦୁର୍ଗତି ଭିତରକୁ ଟାଣିନେଲା I ପ୍ରକଳ୍ପ ହେବା ପୂର୍ବରୁ ବିଦେଶୀ କମ୍ପାନୀ ମାନେ ଶ୍ରୀଲଙ୍କାର ନେତାମାନଙ୍କୁ ପ୍ରକଳ୍ପର ଉପକାରିତା ବିଷୟରେ ସଠିକ ତଥ୍ୟ ଦେଇନଥିଲେ I ସତ୍ତାପାଇଁ ପାଗଳ ଏହି ନେତାମାନେ ଶ୍ରୀଲଙ୍କାକୁ ଆଜି ବିଦେଶୀ ଶକ୍ତି ପାଖରେ ବନ୍ଧା ପକାଇଦେଇ ଦେଶରୁ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି I ଶ୍ରୀଲଙ୍କାର ଲୋକେ ସାରା ଜୀବନ ବିଭିର୍ଣ୍ଣ ପ୍ରକାରର ଟିକସ ଦେବା ପରେ ଏବେ ଅନେକ ଆନ୍ତର୍ଜାତିକ କଟକଣା ଭିତରେ ଏକ ଅପମାନ ଜନକ ଜୀବନ ବିତାଇବା ପାଇଁ ବଧ୍ୟ ହୋଇଛନ୍ତି I ଶ୍ରୀଲଙ୍କା ଉପରେ ବିଦେଶୀ ଋଣ ଭାର ଏତେ ଅଧିକ ଯେ ଶ୍ରୀଲଙ୍କା ଆଗାମୀ ୫୦ ବର୍ଷ ଭିତରେ ମଧ୍ୟ ଏହି ଋଣକୁ ସୁଝି ପାରିବ ନାହିଁ I
୨୦୨୨ ରେ ଶ୍ରୀଲଙ୍କା ସରକାରଙ୍କ ଉପରେ ଋଣ ଭାର $ ୫୧ ବିଲିଅନ ରେ ପହଂଚିଛି I ଏହି ଋଣ ଉପରେ ସୁଧକୁ ମଧ୍ୟ ଶ୍ରୀଲଙ୍କା ଶୁଝିବା ଅତ୍ୟନ୍ତ କଷ୍ଟକର I ଶ୍ରୀଲଙ୍କା ବିଗତ ୨୫ ବର୍ଷ ଭିତରେ ଚୀନର ଋଣ ସହାୟତାରେ ଅନେକ ବଡ ବଡ ପ୍ରକଳ୍ପ କରିଛି ଯାହା ଦେଶ ଉପଯୋଗୀ ନଥିଲା I ଚୀନର ସହାୟତାରେ ବନିଥିବା $ ୧.୪ ବିଲିଅନ ର କୋଲମ୍ବୋ ପୋର୍ଟ ସିଟି ୨୦୪୩ ରେ ସମ୍ପୂର୍ଣ ହେବ ଓ ୨୦୪୩ ଯାଏ ଶ୍ରୀଲଙ୍କା ଚୀନକୁ ସୁଧ ଦେଇ ଚାଲିବ ଓ ୨୦୪୩ ଯାଏ ଏହି ପ୍ରକଳ୍ପରୁ ଶ୍ରୀଲଙ୍କା କୌଣସି ରାଜସ୍ବ ପାଇବ ନାହିଁ I ଯଦି ପ୍ରକଳ୍ପ ଅଧାରୁ ବନ୍ଦ ହୁଏ ତେବେ ଚୀନ ଏହି ପ୍ରକଳ୍ପ ଉପରେ ୯୯ ବର୍ଷ ପାଇଁ କବ୍ଜା କରିନେବ I
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୦୬ ରୁ ୨୦୧୯ ଭିତରେ ଚୀନ ଶ୍ରୀଲଙ୍କାରେ ଇନ୍ଫ୍ରାଷ୍ଟ୍ରକଚର ବିକାଶ ପାଇଁ $ ୧୨ ବିଲିଅନ ପୁଞ୍ଜି ନିବେଶ କରିଛି I ପୁଞ୍ଜି ନିବେଶ କରିଥିବା କମ୍ପାନୀ ବା ଦେଶ କୌଣସି ଧାର୍ମିକ ବ୍ୟକ୍ତି ନୁହନ୍ତି I ବଡ ବଡ ବ୍ୟୟବହୁଳ ଇନ୍ଫ୍ରାଷ୍ଟ୍ରକଚର ପ୍ରକଳ୍ପ ବନାଇବା ପୂର୍ବରୁ ବିଦେଶୀ କମ୍ପାନୀମାନେ ପ୍ରଚାର ପ୍ରସାର ମାଧ୍ୟମରେ ପ୍ରକଳ୍ପର ଉପକାରିତାକୁ ନିଜର ବ୍ୟବସାୟ ଦୃଷ୍ଟିକୋଣରୁ ଦେଖାଇ ଥାନ୍ତି I କାରଣ ବିଦେଶୀ କମ୍ପନୀମାନେ ବିଭିର୍ଣ୍ଣ ଦେଶକୁ ଲାଭ ଉଦ୍ଦେଶ୍ୟରେ ଆସିଥାନ୍ତି ଓ ସେମାନେ କେବେ ଦେଶସେବାପାଇଁ ଆସିନଥାନ୍ତି I ପ୍ରକୃତ ସଚୋଟ, ଦକ୍ଷ ଓ ଦେଶପ୍ରେମୀ ନେତାମାନେ ଏହି ପ୍ରକଳ୍ପଗୁଡିକର ଉପକାରିତାକୁ ମୂଲ୍ୟାୟନ କରିପାରନ୍ତି I ଯଦି ନେତା ପ୍ରକଳ୍ପଗୁଡିକୁ ଠିକ ଭାବରେ ମୂଲ୍ୟାୟନ କରିନପାରନ୍ତି ତେବେ ସେ ଦେଶ ଓ ରାଜ୍ୟର ଭବିଷ୍ୟତ ବନ୍ଧା ପଡ଼ିଯାଏ I ଶ୍ରୀଲଙ୍କାର ନେତାମାନେ ଠିକ ଏହିଭଳି ଆଚରଣ କରିଥିଲେ ଯାହା ଫଳରେ ଶ୍ରୀଲଙ୍କା ଏକ ଦେବାଳିଆ ଦେଶ ବନିଗଲା I ଶ୍ରୀଲଙ୍କା ପାଖରେ ଅନେକ ଶକ୍ତି ଓ ସାମର୍ଥ୍ୟ ଥିଲା ନିଜ ଦେଶକୁ ବିକଶିତ କରିବା ପାଇଁ i ଶ୍ରୀଲଙ୍କା ରାସାୟନିକ ସାରର ପ୍ରବଳ ବ୍ୟବହାର କରି ଓ ମୋନୋ ଫସଲ (mono cropping ) କରି ଦେଶର ଫସଲ ବିଭିଧତାକୁ ନଷ୍ଟ କରିଦେଇଥିଲା i ୨୦୨୧ ରେ ଯେତେବେଳେ ଶ୍ରୀଲଙ୍କା ସରକାର ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାରର ପ୍ରଚଳନ କଲା ସେତେବେଳେ ବହୁତ ବିଳମ୍ବ ହୋଇଯାଇଥିଲା i ଜୈବିକ ସାରର ପ୍ରଚଳନ ୧୦ ବର୍ଷ ଆଗରୁ ହେବା ଦରକାର ଥିଲା I
ବିକାଶଶିଳ ରାଷ୍ଟ୍ରର ନେତାମାନେ ବିଦେଶୀପୁଞ୍ଜି ନିବେଶରେ ଦେଶ ବିକାଶ କରିବ ବୋଲି ଡେଙ୍ଗୁରା ପିଟିଥାନ୍ତି I ପୁଞ୍ଜି ନିବେଶକାରୀଙ୍କୁ ନିଜର ନିୟନ୍ତ୍ରଣରେ ରଖିବାର କ୍ଷମତା ଶ୍ରୀଲଙ୍କାର ନେତାଙ୍କ ପାଖରେ ନଥିଲା I ଦେଶରେ କେଉଁ ଆର୍ଥିକ ସେକ୍ଟରରେ ପୁଞ୍ଜି ନିବେଶ ହେଲେ ସାମୁହିକ ବିକାଶ ହେବ ଏଥିପାଇଁ ଶ୍ରୀଲଙ୍କା ସରକାର କୌଣସି ଚିନ୍ତା କରିନଥିଲା I ଫଳରେ ପୁଞ୍ଜିନିବେଶକାରୀମାନେ ଲଗାମଛଡ଼ା ହୋଇ ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ନଷ୍ଟ କରିବା ସଂଗେ ସଂଗେ ଶ୍ରୀଲଙ୍କାବାସୀଙ୍କର ଆତ୍ମଅଭିମାନ ଓ ଆତ୍ମବିଶ୍ୱାସକୁ ନଷ୍ଟ କରିଦେଲେ I ପୁଞ୍ଜିନିବେଶକାରୀମାନେ କେବଳ ନିଜର ପୁଞ୍ଜିର ସୁରକ୍ଷା କରିଥାନ୍ତି ଓ ସେମାନେ ଦେଶର ବିକାଶ ଦେଖନ୍ତି ନାହିଁ I ଗୋଟେ ଦେଶ ବୁଡ଼ିଗଲେ ସେମାନେ ପୁଞ୍ଜି ନେଇ ଅଲଗା ଦେଶକୁ ପଳାଇଯାନ୍ତି I ବିକାଶଶୀଳ ଦେଶର ନେତାମାନେ ଯଦି ବିଦ୍ୱାନ ଓ ଜାଗ୍ରତ ନଥାନ୍ତି ତେବେ ପୁଞ୍ଜି ନିବେଶ ଦେଶ ପାଇଁ ଘାତକସିଦ୍ଧ ହୋଇଥାଏ I
ଜ୍ଞାନୀ ବ୍ୟକ୍ତିମାନେ କହନ୍ତି ନିଜ ବୁଦ୍ଧିରେ ପଛେ ଘାସ କାଟିବ ପରବୁଦ୍ଧିରେ ଘୋଡା ଚଢ଼ିବ ନାହିଁ I ଶ୍ରୀଲଙ୍କାର ନେତାମାନେ ନିଜଦେଶରେ ଥିବା ବୁଦ୍ଧିଜୀବୀ, ବରିଷ୍ଠ ଚାଷୀ, ଅଭିଜ୍ଞ ରାଜନେତା ଓ ଅର୍ଥନୀତିଜ୍ଞଙ୍କ କଥା ଯଦି ଟିକେ ଶୁଣିଥାନ୍ତେ ତେବେ ଏଭଳି ଲଜ୍ୟାକର ପରିସ୍ଥିତି କେବେ ହୋଇନଥାନ୍ତା I ଶ୍ରୀଲଙ୍କାର ଏହି ଭୟାନକ ଆର୍ଥିକ ଅବନତି ସମଗ୍ର ବିକାଶଶୀଳ ଦେଶମାନଙ୍କ ପାଇଁ ଏକ ଶିକ୍ଷା ହେବ I ଆମ ରାଜ୍ୟ ଓଡିଶା ମଧ୍ୟ ଶ୍ରୀଲଙ୍କାରେ ହୋଇଥିବା ଘୋର ଆର୍ଥିକ ଦୁର୍ବିପାକରୁ ଶିକ୍ଷାଲାଭ କରି ରାଜ୍ୟ ଉପଯୋଗୀ ବିକାଶକୁ ଆବୋରି ନେବା ଉଚିତ I ଏଥିପାଇଁ ରାଜ୍ୟ ସରକାର ପ୍ରଥମେ ରାଜ୍ୟରେ ବୁଦ୍ଧିଜୀବୀ, ଅର୍ଥନୀତିଜ୍ଞ, ଓ ରାଜ୍ୟ ଆର୍ଥିକ ଗତିବିଧି ଉପରେ ତୃଣ ମୂଳ ଜ୍ଞାନ ଥିବା ବିଶେଷଜ୍ଞଙ୍କ ସହଯୋଗରେ ଏକ ଯାଞ୍ଚ କମିଟି ଗଠନ କରି ରାଜ୍ୟରେ ଯେତେଗୁଡିଏ ବଡ ବଡ ପ୍ରକଳ୍ପ ହୋଇଛି ତାହାର ମୂଲ୍ୟାୟନ କରିବା ଉଚିତ I ଏହି ପ୍ରକଳ୍ପ ଗୁଡିକ ରାଜ୍ୟ ଓ ଓଡିଶାବାସୀଙ୍କ ପାଇଁ କେତେଦୂର ଉପଯୋଗୀ ଏହାର ବିସ୍ତୃତ ଆଲୋଚନା ହେବା ଦରକାର I ଅଠର ହଜାର କୋଟି ଟଙ୍କାରେ ତିଆରି ହାଇଦ୍ରାବାଦ ମେଟ୍ରୋ ରେଳ ପ୍ରତିବର୍ଷ କୋଟି କୋଟି ଟଙ୍କା କ୍ଷେତିରେ ଚାଲିଛି I ଏହାର ଋଣଭାର ବଢି ବଢି ୧୩୦୦୦ କୋଟି ଟଙ୍କାରେ ପହଂଚିଛି I କାରଣ ହାଇଦ୍ରାବାଦରେ ୮୫ ପ୍ରତିଶତ ଲୋକଙ୍କ ମାସିକ ଆୟ 15୦୦୦ ଟଙ୍କାରୁ ଅଧିକ ନୁହେଁ ଓ ସେମାନେ ମେଟ୍ରୋ ରେଳରେ ଅଧିକ ମୂଲ୍ୟରେ ଟିକଟ କିଣି ଯାତ୍ରା କରିବା ସମ୍ଭବ ନୁହେଁ I ମେଟ୍ରୋରେ ଯିବା ଆସିବା କରିବା ପାଇଁ ଦିନକୁ ମୁଣ୍ଡପିଛା ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡେ I ଯଦିଓ ମେଟ୍ରୋ ରେଳ କମ ସମୟରେ ପହଞ୍ଚେ ମେଟ୍ରୋ ଷ୍ଟେସନ ପାଖକୁ ଆସିବାରେ ଓ ସ୍ଟାନ୍ଡରେ ଯାନବାହାନ ରଖିବାରେ ସମୟ ଓ ପଇସା ଲାଗିଥାଏ I ଯଦିଓ ମେଟ୍ରୋ ରେଳ ଯଦିଓ ଗୃହ ନିର୍ମାଣକାରୀ ଓ ଜମି କିଣା ବିକା କରୁଥିବା ଧନୀ ଲୋକଙ୍କୁ ଲାଭବାନ କଲା ଏହା ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହେଲାନାହିଁ I
ଓଡିଶା ସରକାର ଏକ ଅନୁଧ୍ୟାନ କମିଟି ତିଆରିକରି ବିଭିର୍ଣ୍ଣ ରାଜ୍ୟରେ ହୋଇଥିବା ଇନ୍ଫ୍ରାଷ୍ଟ୍ରକଚର ପ୍ରକଳ୍ପଗୁଡିକ ପ୍ରକୃତରେ ଲୋକ ଉପଯୋଗୀ ହେଉଛି କି ନାହିଁ ଏହାର ସମ୍ପୂର୍ଣ ତଥ୍ୟ ସଂଗ୍ରହ କରିବା ଉଚିତ I ଅନେକ ରାଜ୍ୟରେ ବନିଥିବା ରୋଡ଼, ଫ୍ଲାଇ ଓଭାର, ସୁଡ଼ଙ୍ଗ , ସ୍କାଇ ୱାକ ଓ ମେଟ୍ରୋ ରେଳ ଇତ୍ୟାଦି ରାଜ୍ୟଗୁଡିକୁ ଋଣ ଯନ୍ତାକୁ ଠେଲି ଦେଇଛି I ଯୋଉଠି ଏହି ଇନ୍ଫ୍ରାଷ୍ଟ୍ରକଚର ପ୍ରକଳ୍ପ ଗୁଡିକ ପ୍ରକୃତରେ ଦରକାର ସେଠି ଏହା କରିବା ଉଚିତ I ଅତ୍ୟଧିକ ମାତ୍ରାରେ ଇନ୍ଫ୍ରାଷ୍ଟ୍ରକଚର ପ୍ରକଳ୍ପ ତିଆରି କରିବା ଦ୍ୱାରା ଲୋକେ ଟିକସ ଦେଇ ନୟାନ୍ତ ହୋଇଯାନ୍ତି I ଓଡିଶା ଭଳି ରାଜ୍ୟର ବିକାଶ ପାଇଁ ଦରକାର ଉଚ୍ଚମାନର ସରକାରୀ ସ୍କୁଲ, ପାଠାଗାର , ସାର୍ବଜନିକ ଖେଳପଡିଆ , ବ୍ୟୟ ସାପେକ୍ଷ ଗମନା ଗମନର ସୁବିଧା, ସ୍ଵଛ ପାନୀୟ ଜଳ ଓ ଭେଜାଲ ମୁକ୍ତ ଖାଦ୍ୟ ପଦାର୍ଥ ଇତ୍ୟାଦି I ରାସ୍ତା, ଫ୍ଲାଇ ଓଭାର ଓ ସୁଡ଼ଙ୍ଗ ତିଆରି କରି ଯଦି ସରକାର ନିର୍ଭରଯୋଗ୍ୟ ପବ୍ଲିକ ପରିବହନର ସୁବିଧା ନକରନ୍ତି ଏହାର ଫାଇଦା ବେସରକାରୀ ପରିବହନ ସଂସ୍ଥାକୁ ଯାଇଥାଏ I ସାଧାରଣ ଲୋକେ ବାଧ୍ୟ ହୋଇ ଟାକ୍ସି ସୁବିଧା ନେଇଥାନ୍ତି I ଏପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ଲୋକ ପ୍ରତିନିଧି ସପ୍ତାହରେ ଥରେ ପବ୍ଲିକ ପରିବହନରେ ଯାତାୟାତ କରିବା ଉଚିତ I ଓଡିଶା ଉପଯୋଗୀ ବିକାଶ ପାଇଁ ଆଜି ସମସ୍ତ ଓଡିଶାବାସୀ ଅଂଟା ଭିଡିବା ଦରକାର କାରଣ ଜଗନ୍ନାଥ ଦେଶ ଓଡିଶା ଏକ ବିଶେଷ ରାଜ୍ୟ ଓ ଏକ ବିଶେଷ ସଂସ୍କୃତି I
No comments:
Post a Comment