(This article was published in Dinalipi on 12.12.2021)
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଯଦିଓ ଓଡ଼ିଆରେ ପ୍ରାଞ୍ଜଳ ଭାବରେ କହିପାରୁନାହାନ୍ତି ତଥାପି ସେ ମୁଖ୍ୟମନ୍ତ୍ରୀ ହିସାବରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଅତିବାହିତ କଲେଣି I ଡୁନ ସ୍କୁଲରୁ ଶିକ୍ଷା ପାଇଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇଂରାଜୀ ଭାଷାରେ କହିବା ଓ ଲେଖିବାରେ ଭାରତର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଭିତରେ ଅନ୍ୟତମ କହିହେବ I ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଂରାଜୀରେ ବିନା ତ୍ରୁଟିରେ ନିଜର ବିଚାର ବ୍ୟକ୍ତ କରିପାରନ୍ତିନି, ଲେଖିବାତ ଦୂରର କଥା I ଇଂରାଜୀ ଭାଷାରେ ସରଳ ଭାବରେ ନିଜର ବିଚାରକୁ ବ୍ୟକ୍ତ କରିପାରୁଥିବାରୁ ନବୀନ ପଟ୍ଟନାୟକ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ନିଜର ଭାବମୂର୍ତ୍ତିକୁ ପ୍ରତିଷ୍ଠିତ କରିପାରିଛନ୍ତି I ନବୀନ ପଟ୍ଟନାୟକଙ୍କ ପିତା ସ୍ବର୍ଗତ ବିଜୁ ପଟ୍ଟନାୟକ ଓଡ଼ିଆ ଭାଷାରେ ସୁନ୍ଦର ଭାବରେ ଭାଷଣ ଦେଇପାରୁଥିଲେ I ବିଜୁ ପଟ୍ଟନାୟକ ଓଡିଶା ପାଇଁ ଅନେକ ରାଜ୍ୟ ଉପଯୋଗୀ ରାଷ୍ଟ୍ରୀୟ ପ୍ରକଳ୍ପ ଆଣିବାରେ ନିଜର ସାମର୍ଥ୍ୟ ଦେଖାଇ ଥିଲେ I ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲ ନାଡୁ ଓ ଆନ୍ଧ୍ରର ଶାସକଦଳ ଓ ବିରୋଧୀଦଳର ନେତାମାନେ ନିଜ ରାଜ୍ୟକୁ ରାଷ୍ଟ୍ରୀୟ ପ୍ରକଳ୍ପ, କେନ୍ଦ୍ରୀୟ ବିକାଶ ଯୋଜନା ଓ ସବସିଡି ଆଣିବା ପାଇଁ ଯାଆଁଳା ଭାଇଭଳି ଅଂଟାଭିଡି କାମ କରିଥାନ୍ତି I ରାଜ୍ୟ ଉପଯୋଗୀ ବିକାଶକୁ ଚିନ୍ହି ରାଜ୍ୟର ବିକାଶ କରିବାରେ ରାଜନୈତିକ ନେତାଙ୍କର ଦକ୍ଷତା ସାବିତ ହୋଇଥାଏ I ଓଡିଶା ଏକ ସମୃଦ୍ଧ ରାଜ୍ୟ ହେବା ପାଇଁ ସମସ୍ତ ସମ୍ଭାବନା ଥିଲେ ମଧ୍ୟ ଏକ ବ୍ୟବହାରିକ ମୂଳ ଚିନ୍ତାଧାରା ଥିବା ଲୋକଉପଯୋଗୀ ବିକାଶ ମଡେଲର ଅଭାବରୁ ଆଜି ରାଜ୍ୟରେ ଅନେକ ସାମାଜିକ ଓ ଆର୍ଥିକ ସମସ୍ୟା ଦେଖା ଦେଇଛି I ଏଥିପାଇଁ ରାଜ୍ୟର ବୁଦ୍ଧିଜୀବୀ, ଶାସକ ଓ ବିରୋଧୀ ଦଳର ନେତାମାନେ ମଧ୍ୟ ଦାୟୀ I
ଓଡ଼ିଶାର ଶାସକ ଦଳ ବିଜେଡି କୋଡ଼ିଏ ବର୍ଷରୁ ଉର୍ଦ୍ଧ ଶାସନରେ ରହିଲା ପରେ ମଧ୍ୟ ଓଡିଶା ବାସୀଙ୍କର ସାମୁହିକ ଅର୍ଥନୈତିକ ବିକାଶ କରିବାରେ ସକ୍ଷମ ହୋଇନାହିଁ I ଫଳରେ ଲକ୍ଷ ଲକ୍ଷ ଶିକ୍ଷିତ ଓ ଅଶିକ୍ଷିତ ଯୁବକ ରାଜ୍ୟ ଛାଡି ବାହାର ରାଜ୍ୟ ଓ ବିଦେଶକୁ ଚାଲିଯାଉଛନ୍ତି I ରାସ୍ତା ଅଛି ସତ କିନ୍ତୁ ଗମନା ଗମନ ପାଇଁ ପରିବହନର ସୁବିଧା ନାହିଁ I ଉର୍ବର ଚାଷ ଜମିଥିଲେ ମଧ୍ୟ ପାଣିର ସୁବିଧା ନାହିଁ I ସରକାରୀ ସ୍କୁଲ ଅଛି ସତ କିନ୍ତୁ ଉତ୍ତମ ମାନର ଶିକ୍ଷା ମିଳୁ ନାହିଁ I ଖେଳାଳି ଅଛନ୍ତି କିନ୍ତୁ ଖେଳ ପଡ଼ିଆର ସୁବିଧା ନାହିଁ I ହସ୍ପିଟାଲ ଅଛି କିନ୍ତୁ ଉପଚାରର ସୁବିଧା ନାହିଁ ଯାହାଫଳରେ ଲୋକେ ପାଇଁ ଭୁବନେଶ୍ୱର ଓ କଟକ ଉପରେ ନିର୍ଭର କରୁଛନ୍ତି I ଗାଁ ଅଛି କିନ୍ତୁ ଗାଁ ରେ ଆଉ ଜୀବିକା ଅର୍ଜନ କରି ସ୍ୱାଭିମାନର ସହିତ ବଂଚିବା ପାଇଁ ସୁବିଧା ନାହିଁ I
ଓଡ଼ିଶାର କଳା ସଂସ୍କୃତି ଅଛି କିନ୍ତୁ କଳାତ୍ମକ ମାନ ରକ୍ଷା କରାଯାଇପାରିନାହିଁ I ଅନେକ ପର୍ଯ୍ୟଟନ କ୍ଷେତ୍ର ଅଛି କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ମନୋରମ ପ୍ରାକୃତିକ ପରିବେଶ ଆଉ ନାହିଁ I ଅଦରକାରୀ କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୋଇଗଲାଣି I ବିଶ୍ୱ ପ୍ରସିଦ୍ଧ ନନ୍ଦନ କାନନଆଜି ତାହାର ପ୍ରାକୃତିକ ପରିବେଶ ଓ ବନ୍ୟଜନ୍ତୁର ବିଭିର୍ଣ୍ଣତା ହରାଇ ବସିଛି I ଯେଉଁଠି ଏକଦା ୩୦ ରୁ ଅଧିକ ଧଳା ବାଘ ଓ ମହାବଳ ବାଘ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଆଜି ସେଠାରେ ଦୁଇ ଚାରିଟା ରୋଗା ବାଘ ଏପଟ ସେପଟ ହେଉଛନ୍ତି I ଅଦରକାରୀ କଂକ୍ରିଟ ଢାଞ୍ଚା ଗୁଡିକ ତିଆରି ହେବା ଦ୍ୱାରା ଏହା ନନ୍ଦନ କାନନର ମନୋରମ ପରିବେଶକୁ ନଷ୍ଟ କରିଦେଇଛି I
ଓଡ଼ିଶାର ବିରୋଧିଦଳଗୁଡିକ ରାଜ୍ୟର ପ୍ରକୃତ ସମସ୍ୟା ଉପରେ ତୃଣମୂଳ ତଥ୍ୟ ଓ ଗବେଷଣାର ଅଭାବରୁ ଅନ୍ଧାରରେ ବାଡ଼ି ବୁଲାଉଥିବା ଭଳି ଲାଗେ I ନବୀନ ସରକାରଙ୍କ ଦୀର୍ଘ ଦୁଇ ଦଶନ୍ଧି କାଳ ଶାସନ ବିରୋଧୀ ଦଳମାନଙ୍କର ଅପାରଗତାକୁ ପଦାରେ ପକାଇଦେଲା ଭଳି ଲାଗେ I
ଏକ ମଝଭୁତ ବିକଳ୍ପ ଅଭାବରୁ ରାଜ୍ୟରେ ଯାହା ସମସ୍ୟା ସୃଷ୍ଟି ହୁଏ ସେଗୁଡିକ ନିରୀହ ଓଡିଶାବାସୀଙ୍କୁ ନୀରବରେ ସହିବାକୁ ପଡୁଛି I ଲମ୍ବା ସମୟ ଧରି କରୋନା ଲକଡାଉନ ଯୋଗୁ ବେରୋଜଗାରୀ ବଢିବା, ଶହ ଶହ କରୋନା ରୋଗୀଙ୍କର ଅକାଳ ମୃତ୍ୟ, ପେଟ୍ରୋଲ ଦର ବୃଦ୍ଧିହେତୁ ଦରକାରୀ ଜିନିଷର ଅତ୍ୟଧିକ ଦରବୃଦ୍ଧି, ବାତ୍ୟା, ବଢି ଓ ମରୁଡି ଇତ୍ୟାଦି ଓଡିଶାବାସୀଙ୍କୁ ହନ୍ତ ସନ୍ତ କରିଦେଇଛି I ବେରୋଜଗାରୀ ଓ ପୃଷ୍ଟିହୀନତା ରାଜ୍ୟରେ ଏକ ଭୟଙ୍କର ରୂପ ନେଇଛି I ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ଦୂର ରାଜ୍ୟକୁ ମୁଲ ଲାଗିବା ପାଇଁ ଚାଲିଯାଉଛନ୍ତି I ଫଳରେ ରାଜ୍ୟରେ କୃଷିକାମ ପାଇଁ ଲୋକ ମିଳୁନାହାଁନ୍ତି I ଓଡିଶାବାସୀ ଟଙ୍କିକିଆ ଚାଉଳ ଖାଇ ଅଳସୁଆ ହୋଇଯାଇଥିବାରୁ ବାହାର ରାଜ୍ୟରୁ ଅନେକ ଲୋକ ଓଡ଼ିଶାରେ କାମ କରୁଥିବାର ଦେଖାଯାଉଛି I ଏଭଳି ପରିସ୍ଥିତି ଯଦି ଆଉ କିଛି ବର୍ଷ ଚାଲେ ତେବେ ଓଡିଶା ତାର ଶିକ୍ଷିତ ଓ ଉଦ୍ଯୋଗୀ ଯୁବପିଡିକୁ ହରାଇବ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି I ସ୍ୱାଭିମାନ ଥିବା ଓଡ଼ିଆ ନେତାମାନେ ଓଡ଼ିଆ ଯୁବକଙ୍କୁ ଓଡ଼ିଶାରେ ରୋଜଗାରକ୍ଷମ କରିବା ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଉଚିତ I
କେତେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଘରୋଇ ହସ୍ପିଟାଲ ଗୁଡିକର ଲାଭଖୋର ନୀତି, କରୋନା
ରୋଗୀର ଉପଚାରରେ ତ୍ରୁଟି ଓ କରୋନା ରୋଗୀଙ୍କୁ ଚିକତ୍ସା କରିବାପାଇଁ ପର୍ୟାପ୍ତ ସୁବିଧା ନଥିବାରୁ ଅନେକ ନିରୀହ ଲୋକ ଅକାଳ ମୃତ୍ୟୁର ଶିକାର ହୋଇଥିଲେ I ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ମାନ ସରକାର ଓ ବିରୋଧୀ ଦଳ ଗୁଡିକର ତତ୍ପରତା ଓ ସମ୍ବେଦନଶୀଳତା ଉପରେ ନିର୍ଭର କରେ I ଓଡ଼ିଶାରେ କେତୋଟି ଘରୋଇ ହସ୍ପିଟାଲ ଓ ସରକାରୀ ହସ୍ପିଟାଲ ଅଛି ପଚାରିଲେ ନେତାମାନେ ଆଵା କାବା ହୋଇଯାନ୍ତି I କେତୋଟି ହସ୍ପିଟାଲ ରୋଗୀ ଉପଯୋଗୀ ଅଛି ଏହା ବିରୋଧୀଦଳ ନେତା ଜାଣନ୍ତି ନାହିଁ I ରୋଗୀ ଅନୁପାତରେ କେତେ ଡାକ୍ତର ଦରକାର ଏହା ମଧ୍ୟ କେହି କହିପାରିବେ ନାହିଁ I ହସ୍ପିଟାଲ ରେ ଥିବା ସୁବିଧାକୁ ବିରୋଧୀ ଦଳ ନେତାମାନେ ନିୟମିତ ଭାବରେ ଯାଞ୍ଚ କରନ୍ତି ନାହିଁ I କଣ କଲେ ଓଡ଼ିଶାର ସ୍ୱାସ୍ଥ୍ୟ ସେବାରେ ଉର୍ନତି ହେବ ଏବିଷୟରେ ସେମାନେ କୌଣସି ପ୍ରସ୍ତାବ ପ୍ରସ୍ତୁତ କରିପାରିବେନାହିଁ I
ଓଡିଶାବାସୀଙ୍କର ସ୍ୱାସ୍ଥ୍ୟର ଉର୍ନତି ପାଇଁ ଓଡ଼ିଶାରେ ଯୁବକ ମାନଙ୍କ ପାଇଁ ଖେଳ କୁଦର ବ୍ୟବସ୍ଥା ଅଛି କି ନାହିଁ ଓ ଓଡ଼ିଶାରେ ଲୋକଙ୍କୁ ପର୍ୟାପ୍ତ ପରିମାଣରେ ପୃଷ୍ଟିକର ଖାଦ୍ୟ ଓ ପାନୀୟ ଜଳ ଉପଲବ୍ଧି ହେଉଛି କି ନାହିଁ ଏହା ଜାଣିବା କଷ୍ଟକର I ଓଡ଼ିଶାରେ ବ୍ୟାଙ୍କ ଋଣ ଓ ବିଭିର୍ନ ପ୍ରକାରର ସବସିଡି ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଁଚୁଛି କି ନାହିଁ ଏହାର ଯାଞ୍ଚ ବିରୋଧୀ ଦଳ ଓ ଗଣମାଧ୍ୟମ କରିବା ଉଚିତ I ଓଡ଼ିଶାରେ କେତୋଟି ନଦୀ, ହ୍ରଦ ଓ ପୋଖରୀ ଅସୁରକ୍ଷିତ ଅବସ୍ଥାରେ ଅଛି କିମ୍ବା ଜବର ଦଖଲ ହେଲାଣି ଏହାର ସମ୍ପୂର୍ଣ ଡାଟା ମିଳିବା କଷ୍ଟକର I ଓଡ଼ିଶାର ସୀମାବର୍ତୀ ଜିଲା ଗୁଡିକରେ କେତେ ଜାଗା ବାହାର ରାଜ୍ୟର ଲୋକେ କବ୍ଜା କରିଛନ୍ତି ଏହାର କୌଣସି ହିସାବ ନାହିଁ I
ସୀମାବର୍ତୀ ଜିଲାରେ କେତେଜଣ ଓଡିଶାବାସୀ ତାଙ୍କର ମାତୃଭାଷାକୁ ଭୁଲିଗଲେଣି ଏହାର କୌଣସ ଆକଳନ ହୋଇନାହିଁ I ଛତିଶଗଡ ସରକାର ମହାନଦୀ ଉପରେ ଅନେକ ଡ୍ୟାମ କରିବା ଦ୍ୱାରା ଚିରସ୍ରୋତା ମହାନଦୀ ଆଜି ତାହାର ସ୍ରୋତକୁ ହରାଇ ବସିଛି I ଓଡ଼ିଶାର ଜୀବନରେଖା ମହାନଦୀର ସୁରକ୍ଷା ପାଇଁ ଓଡ଼ିଶାରେ କୌଣସି ତତ୍ପରତା ଦେଖାଯାଉନାହିଁ I ଓଡ଼ିଶାରେ ବନିଥିବା କଳ କାରଖାନାରେ କେତେଜଣ ଓଡ଼ିଆ ଯୁବକ କର୍ମ ନିୟୁକ୍ତିପାଇଛନ୍ତି ଏହାର କୌଣସି ଆକଳନ ନାହିଁ I
ଓଡ଼ିଶାର ସାଂସ୍କୃତିକ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସରକାର ଓ ବିରୋଧୀ ଦଳର ନେତାମାନେ ଏକ
ଦୃଢ ସଂକଳ୍ପ ନେବା ଉଚିତ I ରାଜନୈତିକ ଦଳଗୁଡିକ ନିଜ ଦଳକୁ ଅପରାଧୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେବା ଉଚିତ I କୌଣସି ଅସାମାଜିକ ବ୍ୟକ୍ତି ଯେଭଳି ଶାସନକଳକୁ ପ୍ରଦୂଷିତ ନକରେ ସେଥିପାଇଁ ଦୃଢ ପଦକ୍ଷେପ ନେବା ଉଚିତ I
ଓଡିଶା ଉପଯୋଗୀ ବିକାଶ ପାଇଁ ଉପଯୁକ୍ତ ଓଡ଼ିଆ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଦରକାର I ବିରୋଧୀ ଦଳ ଓ ଗଣମାଧ୍ୟମ ଓଡ଼ିଶାରେ ହେଉଥିବା ବିକାଶମୂଳକ କାମଗୁଡିକର ମୂଲ୍ୟାୟନ କରିବା ପାଇଁ ନିଜଭିତରେ ସାମର୍ଥ୍ୟ ସୃଷ୍ଟି କରିବା ଦରକାର I ବିକାଶ ମୂଳକ କାର୍ଯ୍ୟଗୁଡିକର ମୂଲ୍ୟାୟନ କରିବା ସଂଗେ ସଂଗେ ସମସ୍ୟାର ସମାଧାନର ବାଟ ମଧ୍ୟ ଦର୍ଶାଇବା ଦରକାର I ଓଡିଶା ଏକ ସମୃଦ୍ଧ ରାଜ୍ୟ ହେବପାଇଁ ଓଡିଶାବାସୀଙ୍କ ଭିତରେ ଦରକାର ଆତ୍ମବିଶ୍ୱାସ, ସ୍ୱାଭିମାନ, ପ୍ରଖର ରାଜନୈତିକ ଇଚ୍ଛା ଶକ୍ତି, ସାହସ ଓ କର୍ମନିପୁଣତା I
No comments:
Post a Comment